ଏସସିବିରେ ଦୁଷ୍କର୍ମ ଘଟଣା; ବହିଷ୍କୃତ ହେଲେ ଅଭିଯୁକ୍ତ ଡାକ୍ତର

କଟକ ଏସସିବି ମେଡିକାଲରେ ୨ ଜଣ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଡାକ୍ତରଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ

ଏସସିବିରେ ଦୁଷ୍କର୍ମ ଘଟଣା; ବହିଷ୍କୃତ ହେଲେ ଅଭିଯୁକ୍ତ ଡାକ୍ତର

କଟକ ଏସସିବି ମେଡିକାଲରେ ୨ ଜଣ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଡାକ୍ତରଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ। ଏହି ଘଟଣାରେ ଅଭିଯୁକ୍ତ ଡାକ୍ତର ଠାକୁର ଦିଲବାଗ ସିଂଙ୍କୁ ଏସସିବି ମେଡିକାଲରୁ ବହିଷ୍କାର କରାଯାଇଛି। ମେଡିକାଲ କାଉନସିଲର ଜରୁରୀ ବୈଠକ ପରେ ଡାକ୍ତରଙ୍କୁ ବହିଷ୍କାର କରାଯାଇଛି।

ଏହି ଅଭିଯୋଗର ତଦନ୍ତ ପାଇଁ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୩ ଜଣିଆ କମିଟି ଗଠନ କରାଯାଇଥିଲା।

କମିଟି ପକ୍ଷରୁ ମାମଲାର ତଦନ୍ତ କରାଯାଇ ବିଭାଗକୁ ରିପୋର୍ଟ ଦିଆଯାଇଥିଲା। ଏହାପରେ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଏସସିବି ମେଡିକାଲ କଲେଜର ଅଧୀକ୍ଷକଙ୍କୁ ଚିଠି ଲେଖାଯାଇଥିଲା।

ଅଭିଯୁକ୍ତ ଠାକୁର ଦିଲବାଗ ସିଂ ଏସସିବି ମେଡିକାଲ କଲେଜର ଜଣେ ସିନିୟର ରେସିଡେଣ୍ଟ ଡାକ୍ତର। ସେ ଏସସିବିର କାର୍ଡିଓଲୋଜି ବିଭାଗରେ ୨ ବର୍ଷ ଧରି କାର୍ଯ୍ୟରତ ଥିଲେ। ତାଙ୍କ ଘର ମଧ୍ୟପ୍ରଦେଶରେ ହୋଇଥିବା ସୂଚନା ମିଳିଛି।

କ'ଣ ଥିଲା ମାମଲା

ଅଗଷ୍ଟ ୯ ତାରିଖରେ ଦୁଇ ଜଣ ମହିଳା କଟକ ଏସସିବି ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ। ଡାକ୍ତର ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଇସିଜି କରିବା ପାଇଁ କହିଥିଲେ। ମାତ୍ର ସେହିଦିନ ଇସିଜି ହୋଇନପାରିବାରୁ ଅଗଷ୍ଟ ୧୧ ତାରିଖରେ ଉଭୟ ମହିଳା ଏସସିବି କାର୍ଡିଓଲୋଜି ବିଭାଗରେ ଇସିଜି କରିବାକୁ ଯାଇଥିଲେ।

ତେବେ ଇସିଜି ବାହାନାରେ ଅଭିଯୁକ୍ତ ଡାକ୍ତର ଜଣଙ୍କ ଉକ୍ତ ମହିଳା ରୋଗୀ ଦ୍ୱୟଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ସେମାନେ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ପୋଲିସ ପକ୍ଷରୁ ବିଏନଏସ ଧାରା ୬୪ ଆଧାରରେ ମାମଲା ରୁଜୁ କରି ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରାଯାଇଥିଲା।