ଜାଗା ମିଶନରେ ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଜାଗା ମିଶନରେ ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଜାଗା ମିଶନରେ ବସ୍ତିବାସିନ୍ଦାଙ୍କୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଟ୍ଟା ବଣ୍ଟନ କରିଛନ୍ତି। ଭୁବନେଶ୍ୱର, ବ୍ରହ୍ମପୁର, କଟକ, ସମ୍ବଲପୁର ଓ ରାଉରକେଲା ଆଦି ୫ ମହାନଗର ନିଗମର ୮୭୫ ବସ୍ତିରୁ ୬୫ ହଜାର ପରିବାରକୁ ପଟ୍ଟାବଣ୍ଟନ କରାଯାଇଛି।

ଏଥିପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା । ଆଜି ମୁଖ୍ୟମନ୍ତ୍ରୀ ପଟ୍ଟା ବଣ୍ଟନ କରିଥିବା ୬୫ ହଜାର ପରିବାର ମଧ୍ୟରୁ କେବଳ ବିଏମସି ଅଞ୍ଚଳରୁ ୫୧ ହଜାର ପରିବାର ରହିଛନ୍ତି। ପୂର୍ବରୁ କେବଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ମ୍ୟୁନସିପାଲଟିର ବସ୍ତିବାସିନ୍ଦାଙ୍କୁ ଜାଗା ମିଶନରେ ପଟ୍ଟାବଣ୍ଟନ କରାଯାଉଥିବା ବେଳେ ଗତ ବର୍ଷ ମହାନଗର ନିଗମବାସୀଙ୍କୁ ମଧ୍ୟ ପଟ୍ଟାବଣ୍ଟନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ଏହି କ୍ରମରେ ଗତ ନଭେମ୍ବର ୨୦୨୨ରେ ଡ୍ରୋନ୍‌‌ ଯୋଗେ ସର୍ଭେ କରାଯାଇ ଯୋଗ୍ୟ ହିତାଧିକାରୀ ତାଲିକା ପ୍ରସ୍ତୁତ କରାଯାଇ ସୋମବାର ପ୍ରଥମ ପର୍ୟ୍ୟାୟ ପଟ୍ଟା ବଣ୍ଟନ କରାଯାଇଛି।

ବର୍ତ୍ତମାନ ପର୍ୟ୍ୟନ୍ତ ରାଜ୍ୟର ୧୧୦ ଟି ପୌର ସଂସ୍ଥାରେ ସହରର ୧ ଲକ୍ଷ ୭୨ ହଜାର ପରିବାକୁ ଜମି ଅଧିକାର ଦିଆଯାଇସାରିଛି। ଆସନ୍ତା ଡିସେମ୍ବର ସୁଦ୍ଧା ରାଜ୍ୟର ଅଢ଼େଇ ଲକ୍ଷ ବସ୍ତି ପରିବାରକୁ ଭୂମି ଅଧିକାର ଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସୋମବାର ଏହି ପଟ୍ଟାବଣ୍ଟନ ସହ ରାଜ୍ୟର ୫ ମହାନଗର ନିଗମ ସମେତ ୧୧୫ ଟି ସହରାଞ୍ଚଳର ୧୦୧୦ ଟି ବିଜୁ ଆଦର୍ଶ କଲୋନୀକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି।

ସହରାଞ୍ଚଳ ଭୂମିହୀନ ଗରିବ ଲୋକଙ୍କ ପାଇଁ ଆଜିର ଦିନ ଐତିହାସିକ। ମୁଖ୍ୟମନ୍ତ୍ରୀ ଶ୍ରୀ Naveen Pattnaik ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉଲକେଲା- ୫ଟି ମହାନଗର ନିଗମର ୬୫ ହଜାର ଗରିବ ପରିବାରକୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜାଗା ସହ ଘର କରିବା ପାଇଁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ। #JAGAMission
ଏହି କାର୍ଯ୍ୟକ୍ରମକୁ ମିଶାଇ ରାଜ୍ୟରେ ୨ ଲକ୍ଷ ୪୦ ହଜାର ପରିବାରକୁ ଭୂମି ଅଧିକାର ମିଳିଲା। ଏଥିସହ ୪୦ ହଜାର ପରିବାରକୁ ଘର ତିଆରି ପାଇଁ ସହାୟତା ମଧ୍ୟ ଦିଆଯାଇଛି। ଆସନ୍ତା ଅକ୍ଟୋବର ମାସରେ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନର ୨ୟ ପର୍ଯ୍ୟାୟ ଆରମ୍ଭ ହେବ। ସହରର ସବୁ ଗରିବ ପରିବାରଙ୍କୁ ଭୂମି ଅଧିକାର ମିଳିବା ପର୍ଯ୍ୟନ୍ତ ଏ ଅଭିଯାନ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। #5T
ଏହି ଅବସରରେ ବିଜୁ ଆଦର୍ଶ କଲୋନୀରେ ପରିଣତ ହୋଇଥିବା ୧୦୧୦ଟି କଲୋନୀ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି। କଟକ ମହାନଗର ନିଗମ, ଖୋର୍ଦ୍ଧା, କୋରାପୁଟ ଓ ଯାଜପୁର ପୌରାଞ୍ଚଳ ସହ ନୂଆ କଲୋନୀ ସ୍ଥାପନରେ ଚିକିଟି, ବୌଦ୍ଧ, ଢେଙ୍କାନାଳ ଓ କେଶିଙ୍ଗା ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। #Odisha
ଜଙ୍ଗଲ ଜମିରେ ଘର କରିଥିବା ଗରିବ ଲୋକଙ୍କୁ ଜଙ୍ଗଲ ଅଧିକାର ଆଇନର ପ୍ରୟୋଗରେ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଦେବା କ୍ଷେତ୍ରରେ ଢେଙ୍କାନାଳ ଜିଲ୍ଲା ସାରା ଦେଶରେ ପ୍ରଥମ ସ୍ଥାନ ପାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ସମ୍ବର୍ଦ୍ଧିତ କରିଛନ୍ତି। ସେହିପରି ରାଜ୍ୟର ଜାଗା ମିଶନ କାର୍ଯ୍ୟକ୍ରମ UN-World Habitat Award 2023 ପାଇଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟର ଜାଗା ମିଶନ ଟିମକୁ ମଧ୍ୟ ସମ୍ବର୍ଦ୍ଧିତ କରିଛନ୍ତି।
ଗରିବ ଲୋକଙ୍କର ମଧ୍ୟ ସ୍ବାଭିମାନ ସହ ସହରରେ ବଞ୍ଚିବାର ଅଧିକାର ରହିଛି। ବିକାଶର ସୁଫଳରେ ଗରିବ ଲୋକର ପ୍ରଥମ ଅଧିକାର ରହିଛି। ସମସ୍ତଙ୍କ ସହଯୋଗରେ, ସମସ୍ତଙ୍କୁ ସାଥିରେ ନେଇ ଆମେ ଆଗକୁ ବଢୁଛୁ। ଏକ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା, ରୂପାନ୍ତରିତ ଓଡ଼ିଶା ଗଢିବା ଆମର ଲକ୍ଷ୍ୟ। ଏହି ଲକ୍ଷ୍ୟ ପୂରଣ ଦିଗରେ ଆଜିର କାର୍ଯ୍ୟକ୍ରମ ଏକ ମାଇଲଷ୍ଟୋନ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।