ଆଜି ଶିଶୁ ଦିବସ
ଆଜିର ଶିଶୁ, ଆସନ୍ତାକାଲିର ନାଗରିକ। ଦେଶ ନିର୍ମାଣରେ ଶିଶୁମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶିଶୁଟିର ସରଳ ନିଷ୍ପାପ ହସ ଓ ଛନ୍ଦକପଟହୀନତାର ସମାହାର ତାକୁ ବାଟ କଢ଼ାଇନିଏ ଆଗକୁ ଆଗକୁ

ଆଜିର ଶିଶୁ, ଆସନ୍ତାକାଲିର ନାଗରିକ। ଦେଶ ନିର୍ମାଣରେ ଶିଶୁମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶିଶୁଟିର ସରଳ ନିଷ୍ପାପ ହସ ଓ ଛନ୍ଦକପଟହୀନତାର ସମାହାର ତାକୁ ବାଟ କଢ଼ାଇନିଏ ଆଗକୁ ଆଗକୁ। ପରିବାର ଭିତରୁ ହିଁ ସେ ଜୀବନର ମଧୁରତା ସଂଗ୍ରହ କରିଥାଏ। ଏକ ଶାନ୍ତ, ସୁସଂପନ୍ନ, ସେହ୍ନସିକ୍ତ ପରିବାରରେ ବଢ଼ିଥିବା ଶିଶୁଟିଏ ଭବିଷ୍ୟତର ସୁନାଗରିକ ଓ ସୁସଂହତ ସମାଜ ସଂଗଠନରେ ମୁଖ୍ୟଭୂମିକା ଗ୍ରହଣ କରିଥାଏ।
ଏହି କଥାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଥିଲେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ ପଣ୍ଡିତ ଜବାହରଲାଲ ନେହରୁ। କୁନି କୁନି ପିଲାଙ୍କୁ ସେ ଅଜସ୍ର ସ୍ନେହ କରୁଥିଲେ । ସେଥିପାଇଁ ପିଲାମାନେ ତାଙ୍କୁ ସ୍ନେହରେ ‘ଚାଚା ନେହରୁ’ ବୋଲି ଡାକୁଥିଲେ। ତାଙ୍କ ମତରେ ‘ଶିକ୍ଷା ହିଁ ପ୍ରଗତିର ମୂଳପିଣ୍ଡ’।
ତେଣୁ ଭବିଷ୍ୟତର ନାଗରିକମାନଙ୍କ ଶିକ୍ଷା ଉପରେ ସେ ବିଶେଷ ଧ୍ୟାନ ଦେଇଥିଲେ। ସେହି ମହାନ ରାଷ୍ଟ୍ରନେତାଙ୍କର ଜନ୍ମଦିନକୁ ସାରାଦେଶ ଶିଶୁ ଦିବସ ଭାବେ ପାଳନ କରୁଛି। ଦେଶର କୋଣ ଅନୁକୋଣରେ, ପଲ୍ଲୀଠୁ ଦିଲ୍ଲୀ ସବୁଠି ଶିଶୁ ଦିବସକୁ ବେଶ୍ ଆନନ୍ଦ ଉତ୍ସାହର ସହ ପାଳନ କରାଯାଏ ।
ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାରା ଦେଶ ପାଳିଥାଏ ଏହି ଦିବସ। ଶିଶୁ ଦିବସ ଅବସରରେ ସ୍କୁଲଗୁଡ଼ିକରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ମେଳା ଏବଂ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ଏହି ଦିନ ସ୍କୁଲ୍ ଏବଂ ବିଭିନ୍ନ ଅନୁଷ୍ଠାନରେ ପିଲାମାନଙ୍କୁ ଚକଲେଟ୍, ମିଠା ଆଦି ବଣ୍ଟା ଯାଇଥାଏ। ଜବାହରଲାଲ ନେହରୁ ଉତ୍ତର ପ୍ରଦେଶର ଆହ୍ଲାବାଦ ସହରରେ ଏକ କଶ୍ମୀର ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ।