ବଜେଟରେ NPSକୁ ନେଇ ବଡ଼ ଘୋଷଣା
ଏଣିକି କର୍ମଚାରୀଙ୍କ ବେସିକ ସାଲାରୀରୁ ୧୦ ପ୍ରତିଶତ ନୁହେଁ, ୧୪ ପ୍ରତିଶତ କଟିବ

ଚଳିତ କେନ୍ଦ୍ର ବଜେଟ ୨୦୨୪ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନ୍ୟାସନାଲ ପେନସନ ସ୍କିମ (ଏନପିଏସ)କୁ ନେଇ ଏକ ବଡ଼ ଘୋଷଣା କରାଯାଇଛି । ଏନପିଏସ ନିୟମରେ ପରିବର୍ତ୍ତନ କରାଯାଇଛି । ଏହାଫଳଳେ କର୍ମଚାରୀମାନେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଇନକମ ଟ୍ୟାକ୍ସରେ ଆଶ୍ୱସ୍ତି ଦିଆଯିବା ସହ ସରକାର ଏଞ୍ଜଲ ୱାନ ପରି ଟ୍ୟାକ୍ସକୁ ସମାପ୍ତ କରିଛନ୍ତି ।
ଅର୍ଥମନ୍ତ୍ରୀ ଜୁଲାଇ ୨୪ରେ ନିଜର ବଜେଟ ଭାଷଣରେ ଏନପିଏସର କଣ୍ଟ୍ରିବ୍ୟୁସନ ସୀମା ବୃଦ୍ଧି କରିଛନ୍ତି । ଏଣିକି କର୍ମଚାରୀଙ୍କୁ ବେସିକ ସାଲାରୀରୁ ୧୦ ପ୍ରତିଶତ ବଦଳରେୁ ୧୪ ପ୍ରତିଶତ କଣ୍ଟ୍ରିବ୍ୟୁସନ ଦେବାକୁ ପଡ଼ିବ । କର୍ମଚାରୀଙ୍କ ବେତନକୁ ୧୪ ପ୍ରତିଶତ ଅର୍ଥ କଟିବା ଫଳରେ ଏହା ସେମାନଙ୍କର ମାସିକ ବଜେଟକୁ ପ୍ରଭାବିତ କରିପାରେ । ଏହାର ସିଧା ଅର୍ଥ ହେଉଛି ଯେଉଁ କର୍ମଚାରୀମାନେ ପୂର୍ବରୁ ଏନପିଏସରେ ୧୦ ପ୍ରତିଶତ କଣ୍ଟ୍ରିବ୍ୟୁସନ ଦେଉଥିଲେ ଏଣିକି ସେମାନଙ୍କୁ ୧୪ ପ୍ରତିଶତ କଣ୍ଟ୍ରିବ୍ୟୁସନ ଦେବାକୁ ପଡ଼ିବ ।
ଯଦି ଆପଣଙ୍କର ବେସିକ ସାଲାରୀ ୫୦ ହଜାର, ତେବେ ଆପଣ ପୂର୍ବରୁ ଏନପିଏସ ସିଷ୍ଟମରେ ମାସିକ ୫ ହଜାର ଯୋଗଦାନ ଦେଉଥିଲେ । ଏଣିକି ଆପଣଙ୍କୁ ମାସିକ ୧୪ ପ୍ରତିଶତ ଅର୍ଥାତ ୭ ହଜାର ଯୋଗଦାନ ଦେବାକୁ ପଡ଼ିବ । ଏହି ଅର୍ଥ ଆପଣଙ୍କର ରିଟାୟାରମେଣ୍ଟ ଫଣ୍ଡରେ ଜମାହେବ । ଅଧିକାଂଶ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ନିଜର ବେତନକୁ ନେଇ କଷ୍ଟେମଷ୍ଟେ ପରିଚାଳନା କରିଥାନ୍ତି । ତେଣୁ ଏବେ ସେମାନଙ୍କର ବେତନରୁ ଅଧିକ ଅର୍ଥ କଟିବା ଫଳରେ ତାହା ସେମାନଙ୍କର ମାସିକିଆ ବଜେଟକୁ ବିଗାଡ଼ିପାରେ ।