ରାଜଧାନୀରେ ସାମ୍ବାଦିକାଙ୍କ ମୃତ୍ୟୁ ଘଟଣା : ପରିବାର ଲୋକଙ୍କ ଅଭିଯୋଗ ପରେ ସ୍ବାମୀ ଗିରଫ

ରାଜଧାନୀରେ ସାମ୍ବାଦିକାଙ୍କ ମୃତ୍ୟୁ ଘଟଣାରେ ସସ୍‌ପେନ୍ସ ଜାରି ରହିଥିବା ବେଳେ ସ୍ୱାମୀକୁ ବାନ୍ଧିଛି ପୋଲିସ ।

ରାଜଧାନୀରେ ସାମ୍ବାଦିକାଙ୍କ ମୃତ୍ୟୁ ଘଟଣା : ପରିବାର ଲୋକଙ୍କ ଅଭିଯୋଗ ପରେ ସ୍ବାମୀ ଗିରଫ

ରାଜଧାନୀରେ ସାମ୍ବାଦିକାଙ୍କ ମୃତ୍ୟୁ ଘଟଣାରେ ସସ୍‌ପେନ୍ସ ଜାରି ରହିଥିବା ବେଳେ ସ୍ୱାମୀକୁ ବାନ୍ଧିଛି ପୋଲିସ । ସ୍ବାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିଛି ପୋଲିସ I ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଛି I ତାଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇଛି ପୋଲିସ । ଦଫା ୮୦- ଯୌତୁକ ନିର୍ଯାତନା, ଦଫା ୧୦୮- ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା, ଦଫା ୧୦୩- ହତ୍ୟାକାଣ୍ଡ ସହ ଏକାଧିକ ଅଭିଯୁକ୍ତଙ୍କ ସମ୍ପୃକ୍ତି ଦଫା ଲାଗିଛି ।

ସୂଚନାଯୋଗ୍ୟ ଯେ, ବୁଧବାର ଭୁବନେଶ୍ବରରେ ରେଳଧାରଣାରୁ ଜଣେ ସାମ୍ବାଦିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ରେଳବାଇ ପୋଲିସ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ମୃତ୍ୟୁ ପୂର୍ବରୁ ସାମ୍ବାଦିକା ସୋସିଆଲ୍‌ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଉକ୍ତ ଭିଡିଓରେ ସେ ତାଙ୍କ ସ୍ୱାମୀଙ୍କ ନିର୍ଯାତନା ବିଷୟରେ ଜଣାଇଛନ୍ତି । ତାହା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । 

ସାମ୍ବାଦିକା ମଧୁସ୍ମିତା ପରିଡାଙ୍କ ଘର ଗଞ୍ଜାମ ଭଞ୍ଜନଗର ତନରଡ଼ା ଅଞ୍ଚଳରେ । ସେ ସ୍ୱାମୀଙ୍କ ସହ ଧଉଳି ଥାନା ଲିଙ୍ଗିପୁର କଲୋନୀରେ ରହୁଥିଲେ । ସେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଏକ ଡିଜିଟାଲ୍‌ ମିଡିଆ ସଂସ୍ଥାରେ କାମ କରୁଥିଲେ । ଗତ ମାର୍ଚ୍ଚ ମାସରେ ସେ ଭଞ୍ଜନଗରର ଶ୍ରୀଧର ଜେନାଙ୍କୁ ବିବାହ କରିଥିଲେ । ଶ୍ରୀଧର ଏୟାରଫୋର୍ସର ଜଣେ କର୍ମଚାରୀ । ଏବେ ତାଙ୍କର ରାଜସ୍ଥାନରେ ପୋଷ୍ଟିଂ ହୋଇଛି । ମଧୁସ୍ମିତାଙ୍କୁ ବାହା ହେବା ପୂର୍ବରୁ ଶ୍ରୀଧର ଧଉଳି ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କ ଝିଅକୁ ବିବାହ କରିଥିଲେ । ହେଲେ ନିର୍ଯାତନା ଦେବାରୁ ସେ ଶ୍ରୀଧରଙ୍କୁ ଛାଡ଼ପତ୍ର ଦେଇଥିଲେ । ପ୍ରଥମ ପତ୍ନୀଙ୍କୁ ଶ୍ରୀଧର ଛାଡ଼ପତ୍ର ଦେବାର ୨ ବର୍ଷ ପରେ ପୁଣି ବିବାହ କରିବାକୁ ମନ କରିଥିଲେ । ଏହି ସମୟରେ ସୋସିଆଲ୍‌ ମିଡ଼ିଆରେ ମଧୁସ୍ମିତାଙ୍କ ସହ ଯୋଡ଼ି ହୋଇଥିଲେ । କିଛି ଦିନ ପ୍ରେମ ପରେ ଉଭୟଙ୍କ ପରିବାର ଲୋକଙ୍କ ସହମତିରେ ବାହାଘର ହୋଇଥିଲା । ଗତ ମାର୍ଚ୍ଚ ଶେଷ ସପ୍ତାହରେ ବାହାଘର ହୋଇଥିଲା । ବାହାଘରର ୨ ମାସ ସବୁ କିଛି ଠିକ୍‌ଠାକ୍‌ ଥିଲା । ମେ’ ମାସ ୧ ତାରିଖ ରାତିରେ ମଧୁସ୍ମିତା ଜାଣିବାକୁ ପାଇଥିଲେ ତାଙ୍କ ସ୍ୱାମୀ ଶ୍ରୀଧରଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ରହିଛି । ତେବେ ସେ କିଛି ନ କହି ତଥ୍ୟ ପ୍ରମାଣ ଯୋଗାଡ଼ରେ ଲାଗି ପଡ଼ିଥିଲେ । ଏହି ସମୟରେ ଜାଣିବାକୁ ପାଇଥିଲେ ୨ ଜଣ ଯୁବତୀଙ୍କ ସହ ତାଙ୍କର ସମ୍ପର୍କ ରହିଛି । ଏହାରି ଭିତରେ ଶ୍ରୀଧରଙ୍କ ଛୁଟି ସରି ଯାଇଥିଲା । ସେ ରାଜସ୍ଥାନ ପଳାଇଥିଲେ । ହେଲେ ସେଠାରେ ପହଞ୍ଚିଲା ପରେ ମଧୁସ୍ମିତାଙ୍କୁ ଫୋନ୍‌ କରି ନଥିଲେ । ମଧୁସ୍ମିତା ତାଙ୍କୁ ଫୋନ୍‌ କଲେ ଶ୍ରୀଧର ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଦିଅନ୍ତି । ଏମିତି ସେ ଛାଡପତ୍ର ଦେବେ ବୋଲି ଧମକ ଦିଅନ୍ତି । ଗତ ୧୨ ତାରିଖରେ ଶ୍ରୀଧର ଘରକୁ ଆସିଥିଲେ । ଅନୈତିକ ପ୍ରେମ ସମ୍ପର୍କକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଶ୍ରୀଧର ତାଙ୍କୁ ମାଡ଼ ମାରିଥିଲେ । ଘର ଲୋକ ବୁଝାସୁଝା କରିଥିଲେ । ହେଲେ ସୋମବାର ରାତିରେ ପୁଣି ମଧୁସ୍ମିତାଙ୍କୁ ମାଡ଼ ମାରିଥିଲେ ଶ୍ରୀଧର । ଏନେଇ ମଧୁସ୍ମିତା ଧଉଳି ଥାନାକୁ ଯାଇଥିଲେ । ଧଉଳି ଥାନା ପୋଲିସ ଉଭୟଙ୍କୁ ବୁଝାସୁଝା କରି କାମ ସାରି ଦେଇଥିଲା । ବୁଧବାର ସେ ଅଫିସ୍‌ ଯାଇନଥିଲେ । ପୂର୍ବ କଥାକୁ ନେଇ ଅପରାହ୍ନ ୫ଟା ବେଳେ ପୁଣି ଶ୍ରୀଧର ତାଙ୍କୁ ମାଡ଼ ମାରିଥିଲେ । ଏହାପରେ ମଧୁସ୍ମିତା ଘର ଛାଡ଼ି ପଳାଇଥିଲେ । ଆଉ ଜୀବନ ହାରିବେ ବୋଲି କହିଥିଲେ । ଏହା ଶୁଣି ଶ୍ରୀଧର ପ୍ରଥମ ଅଣଦେଖା କରିଥିଲେ । କିଛି ସମୟରେ ସେ ମଧୁସ୍ମିତାଙ୍କୁ ଫୋନ୍‌ କରିଥିଲେ । ସେ ଫୋନ୍‌ ଉଠାଇ ନଥିଲେ । କିଛି ଉପାୟ ନ ପାଇ ସେ ଧଉଳି ଥାନାକୁ ଯାଇଥିଲେ । ଧଉଳି ଥାନା ପୋଲିସ୍‌ ମଧ୍ୟ ମଧୁସ୍ମିତାଙ୍କୁ ଫୋନ୍‌ କରିଥିଲେ । ହେଲେ ସେ ଉଠାଇ ନଥିଲେ । ପୋଲିସ୍‌ ଶ୍ରୀଧରକୁ ମଧୁସ୍ମିତାଙ୍କର ମୋବାଇଲ୍‌ ଲୋକେସନ୍‌ ଦେଇ କାମ ସାରି ଦେଇଥିଲେ । ଲୋକେସନ୍‌ ନେଇ ମାଉସୀମା’ ବ୍ରିଜ ତଳକୁ ଆସିଥିଲେ ଶ୍ରୀଧର । ସେତେବେଳକୁ ମଧୁସ୍ମିତା ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରି ସାରିଥିଲେ । ଟ୍ରେନ୍‌ ତାଙ୍କୁ ପାଖାପାଖି ୫ଶହ ମିଟର ଘୋଷାଡ଼ି ନେଇଥିଲା । ଖବର ପାଇ ଘଟଣାସ୍ଥଳରେ ଜିଆରପି ଏବଂ କ୍ୟାପିଟାଲ ଥାନା ପୋଲିସ୍‌ ପହଞ୍ଚିଥିଲା । ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର କରି ପୋଲିସ୍‌ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ସମୟରେ ମଧୁସ୍ମିତାଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଶ୍ରୀଧରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ପୋଲିସ ତାଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଥିବା ବେଳେ ଏବେ ତାଙ୍କୁ ଗିରଫ କରିଛି ।