ଏଆର୍ ରହମାନଙ୍କ ଲାଇଭ୍ କନସର୍ଟରେ ଅବ୍ୟବସ୍ଥା, ଟିକେଟ୍ ଥାଇ ବି ମିଳିଲାନି ଏଣ୍ଟ୍ରି
ଖ୍ୟାତନାମା ସଂଗୀତକାର ଏଆର୍ ରହମାନଙ୍କ ଲାଇଭ୍ କନସର୍ଟରେ ବ୍ୟାପକ ଅବ୍ୟବସ୍ଥା ନେଇ ଦର୍ଶକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି

ଖ୍ୟାତନାମା ସଂଗୀତକାର ଏଆର୍ ରହମାନଙ୍କ ଲାଇଭ୍ କନସର୍ଟରେ ବ୍ୟାପକ ଅବ୍ୟବସ୍ଥା ନେଇ ଦର୍ଶକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପ୍ଟେମ୍ବରର ୧୦ ରବିବାର ଚେନ୍ନାଇରେ ରହମାନଙ୍କ କନସର୍ଟ ବେଳେ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା |
ଲମ୍ବା ଟ୍ରାଫିକ୍ ଜାମ୍ ଏବଂ ପ୍ରବଳ ଭିଡ଼ ଯୋଗୁଁ ଫାଟକ ବାହାରେ ଠେଲାପେଲା ଓ ଦଳାଚକଟା ପରି ପରିସ୍ଥିତି ସୃଷ୍ଟି ହୋଇଥିଲା | ଟିକେଟ୍ ଥାଇ ମଧ୍ୟ ବହୁ ଫ୍ୟାନ୍ କନସର୍ଟ ଦେଖିବାରୁ ବଞ୍ଚିତ ହୋଇ ଫେରିଥିଲେ । ଭିଡ଼ ଭିତରେ ଅନେକ ମହିଳା ଓ ଛୋଟ ପିଲା ଫସି ଯାଇଥିଲେ । ଏପରିକି ମହିଳାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି ।
ରହମାନଙ୍କ କନସର୍ଟ ଭେନ୍ୟୁରେ ଅବ୍ୟବସ୍ଥା ନେଇ କ୍ଷୁବ୍ଧ ଦର୍ଶକ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି । ସେମାନେ ଏହାର ଭିଡିଓ ମଧ୍ୟ ସେୟାର କରିଛନ୍ତି | କ୍ଷମତା ଠାରୁ ଆୟୋଜକ ଅଧିକ ଟିକେଟ୍ ବିକିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଲା ବୋଲି ଲୋକମାନେ ଅଭିଯୋଗ କରିଛନ୍ତି ।
ସମାଲୋଚନା ମଧ୍ୟରେ ରହମାନ ମୁହଁ ଖୋଲିଛନ୍ତି । ଲୋକଙ୍କୁ ହୋଇଥିବା ଅସୁବିଧା ପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି । ଟ୍ୱିଟ୍ କରି ଯେଉଁମାନେ ଟିକେଟ କିଣି ସୁଦ୍ଧା କନସର୍ଟରେ ପହଞ୍ଚି ପାରିନଥିଲେ, ସେମାନେ ତାଙ୍କ ଟିମ୍ ସହ ଯୋଗାଯୋଗ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ।