ହନୁମାନ ପଇସା ବିକ୍ରି କରି ପୁଲିସ ହାତରେ ଧରାପଡ଼ିଲେ ୩ ଅଭିଯୁକ୍ତ
ହନୁମାନ ପଇସା ବିକ୍ରି କରି ଧନୀ ହେବାର ସ୍ବପ୍ନ ଦେଖିଥିଲେ, ପୁଲିସ ହାତରେ ଧରାପଡ଼ି ଗଲେ ୩ ଅଭିଯୁକ୍ତ

ଆଜିକାଲି ଅନେକ ଲୋକ ବିନା ପରିଶ୍ରମରେ ଲକ୍ଷପତି ବା କୋଟିପତି ହେବାକୁ ଚାହୁଁଛନ୍ତି। ସତ୍ ଉପାୟରେ କମ ପରିଶ୍ରମରେ ବହୁତ କମ ସମୟରେ ଧନୀ ହେବା ସହଜ ନୁହେଁ। ତେଣୁ ଅନେକ ଲୋକ ଅସାଧୁ ତଥା ବିକଳ୍ପ ଚିନ୍ତା କରନ୍ତି। ନିଶା ବେପାର ହେଉ କି ଅନ୍ୟ କିଛି ଅସାଧୁ କାମ କରି ଟଙ୍କା ରୋଜଗାର କରିବାକୁ ପଛାଉ ନାହାନ୍ତି କିଛି ଲୋକ। ଅନେକ ସ୍ଥାନରେ ଯୁବପିଢ଼ି ପ୍ରାଚୀନ ମୁଦ୍ରା ଓ ହନୁମାନ ପଇସା ସଂଗ୍ରହ କରି ଏଗୁଡ଼ିକୁ ବିକ୍ରି କରି ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି। ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅଧୀନ ରାଜବାଟୀ ଅଞ୍ଚଳରେ ହନୁମାନ ପଇସା ଡିଲ୍ ସମୟରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଧରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସଚିନ୍ଦ୍ର କୁମାର ପଟେଲ (୩୮), ସତ୍ୟରଂଜନ ଜେନା (୪୦) ଓ କାର୍ତ୍ତିକ ମିଶ୍ର (୫୪)। ପ୍ରଥମ ୨ ଅଭିଯୁକ୍ତ ଓଡ଼ିଶାର ହୋଇଥିବା ବେଳେ ତୃତୀୟ ବ୍ୟକ୍ତି ପଶ୍ଚିମବଙ୍ଗର ବୋଲି ପୁଲିସ କହିଛି। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୩ଟି ହନୁମାନ ପଇସା, ୩ଟି ପୁରାତନ ମୁଦ୍ରା, ୧ ବିଦେଶୀ ମୁଦ୍ରା, ପ୍ରେସକାର୍ଡ ଏବଂ ୱେବ୍ ଚ୍ୟାନେଲ ବୁମ୍ ସହ କାର ମଧ୍ୟ ଜବତ କରିଛି।