ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠ
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ସୁପ୍ରିମକୋର୍ଟରେ ୩୩ ପୃଷ୍ଠାର ସତ୍ୟପାଠ ଦାଖଲ ହୋଇଛି।

ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ନଭେମ୍ବର ୪, ୨୦୧୯ର ନିର୍ଦ୍ଦେଶନାମା ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ସୁପ୍ରିମକୋର୍ଟରେ ୩୩ ପୃଷ୍ଠାର ସତ୍ୟପାଠ ଦାଖଲ ହୋଇଛି। ଶ୍ରୀମନ୍ଦିର ପ୍ରଶାସନର ଉପପ୍ରଶାସକ (ରାଜସ୍ବ) ପ୍ରମୋଦ କୁମାର ପୃଷ୍ଟି ଏହାକୁ ଦାଖଲ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ୨୨ଟି ନିର୍ଦ୍ଦେଶନାମାର ଅନୁପାଳନ କରାଯାଇଥିବା ଏଥିରେ ଉଲ୍ଲେଖ କରାଯାଇଛି।
ସତ୍ୟପାଠରେ କୁହାଯାଇଛି, ଡିସେମ୍ବର ୨୮, ୨୦୧୮ରେ ନୀତିକାନ୍ତିରେ ବିଳମ୍ବ ଓ ବିଭ୍ରାଟ ପାଇଁ ଦାୟୀ ସେବକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାପାଇଁ ମୁଖ୍ୟ ପ୍ରଶାସକଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶକୁ କାର୍ଯ୍ୟକାରୀ ପୂର୍ବକ ପ୍ରାରମ୍ଭିକ ତଦନ୍ତ ଆଧାରରେ ୫ ଜଣ ସେବକ ଭବାନୀ ଶଙ୍କର ମହାପାତ୍ର, କାହ୍ନୁ ପୂଜାପଣ୍ଡା, ମହାବୀର ଖୁଣ୍ଟିଆ, ନରସିଂହ ଖୁଣ୍ଟିଆ ଓ ମଧୁସୂଦନ ଖୁଣ୍ଟିଆଙ୍କ ବିରୋଧରେ ଚାର୍ଜ ଫ୍ରେମ ହୋଇଛି। ତଦନ୍ତ ଶେଷ ହେବାପରେ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶୃଙ୍ଖଳା ରକ୍ଷା ପାଇଁ ସେବାପୂଜାରେ ସେବକ ୧୫ ମିନିଟ୍ ବିଳମ୍ବ କଲେ ପାଉଣାରୁ ୨୫ ପ୍ରତିଶତ, ୩୦ ମିନିଟ ବିଳମ୍ବ ହେଲେ ୫୦ ପ୍ରତିଶତ ଓ ଘଣ୍ଟାଏ ବିଳମ୍ବ କଲେ ଶତପ୍ରତିଶତ କାଟ ନିଷ୍ପତ୍ତି ନିଆଯାଇଛି। ସେବକ ସେବାପୂଜାରେ ଲଗାତାର ତିନିଥର ବିଳମ୍ବ କଲେ ସସ୍ପେଣ୍ଡ ଓ ଜାଣିଶୁଣି ବିଳମ୍ବ କଲେ ସେବାରୁ ବହିଷ୍କାର କରାଯିବା ନିଷ୍ପତ୍ତି ହୋଇଛି। ଛୋଟମୋଟ ଘଟଣାକୁ ବାଦ୍ ଦେଲେ ଶ୍ରୀମନ୍ଦିର ଦୈନନ୍ଦିନ ରୀତିନୀତି ଶୃଙ୍ଖଳିତ ଭାବେ ପରିଚାଳନା ହେଉଛି।
ଗଜପତି ମହାରାଜଙ୍କ ସମ୍ପର୍କରେ ସତ୍ୟପାଠରେ କୁହାଯାଇଛି ଯେ ସେ ହେଉଛନ୍ତି ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ। ମନ୍ଦିର ପ୍ରଶାସନ ସମ୍ପର୍କିତ ମାମଲାଗୁଡ଼ିକରେ ସେ ମୂଲ୍ୟବାନ ମତ ଓ ପରାମର୍ଶ ଦେଇଥାନ୍ତି। ରୀତିନୀତି ଏବଂ ପରମ୍ପରା ସଂପର୍କିତ ପ୍ରସଙ୍ଗରେ ଶ୍ରୀମଦ୍ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତାମତ ଲୋଡ଼ାଯାଇଥାଏ। ମନ୍ଦିର ପରିଚାଳନା କମିଟି ଦ୍ବାରା ନୀତିଗୁଡ଼ିକର ପରିଚାଳନା ପାଇଁ ସବ୍ କମିଟି ଗଠନ ହୋଇଛି। ସେବାପୂଜାର ଉତ୍ତମ ପରିଚାଳନା ପାଇଁ ଛତିଶା ନିଯୋଗ ସହିତ ବୈଠକ ହେଉଛି। ଶ୍ରୀମନ୍ଦିର ଆଇନ ଆଧାରରେ ଯୁଗ୍ମ ସଚିବ ପାହ୍ୟାର ଜଣେ ଅଧିକାରୀ ପୂର୍ଣ୍ଣକାଳୀନ ପ୍ରଶାସକ (ନୀତି) ଅବସ୍ଥାପିତ ହୋଇଛନ୍ତି। ଦୈନନ୍ଦିନ ନୀତି ଓ ବିଭିନ୍ନ ପର୍ବପର୍ବାଣୀର ତଦାରଖ ପାଇଁ ବରିଷ୍ଠ ଆଇଏସ୍ ପାହ୍ୟାର ଜଣେ ଅଧିକାରୀଙ୍କୁ ମୁଖ୍ୟ ପ୍ରଶାସକ ଭାବେ ପର୍ଯ୍ୟାପ୍ତ କ୍ଷମତା ଦିଆଯାଇଛି।