ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥଯାତ୍ରା ବୈଠକ

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରେ ରଥଯାତ୍ରା ପାଇଁ ମିଳିତ ସମନ୍ୱୟ ପ୍ରସ୍ତୁତି ବୈଠକ, ୨୦ଟି ଏଜେଣ୍ଡା ଉପରେ ଆଲୋଚନା

ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥଯାତ୍ରା ବୈଠକ

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀ ହରିବଳଦେବ ଜୀଉଙ୍କ ରଥଯାତ୍ରା ଚଳିତବର୍ଷ କିପରି ପାଳନ କରାଯିବ ସେନେଇ ପ୍ରସ୍ତୁତି ବୈଠକ ହୋଇଛି । ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସ୍ଥିତ ଫେସିଟିଲେସନ କକ୍ଷଠାରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ସେବାୟତ, ରଥ କାରିଗର, ପ୍ରଶାସନିକ ଅଧିକାରୀ ମାନଙ୍କ ସମନ୍ୱୟରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଛି।

ଚଳିତ ବର୍ଷ ରଥଯାତ୍ରାକୁ ସରସ ସୁନ୍ଦର ଭାବେ କରିବା ପାଇଁ ୨୦ଟି ଏଜେଣ୍ଡା ଉପରେ ଆଲୋଚନା ହୋଇଛି। ପୂର୍ବ ବର୍ଷରେ ରଥଯାତ୍ରାରେ ୫୧ଲକ୍ଷ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଚଳିତବର୍ଷ ୫୩ଲକ୍ଷ ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି । ତିନି ରଥ ନିର୍ମାଣ ନିମନ୍ତେ ୧୫୦୦ ସିଏଫଟି କାଠ ଆବଶ୍ୟକତା ଥିବା ବେଳେ ବର୍ତ୍ତମାନ ସୁଦ୍ଧା କରଞ୍ଜିଆ ଓ ରାଇରଙ୍ଗପୁର ବନଖଣ୍ଡ ପକ୍ଷରୁ ୮୯୦ ସିଏଫଟି କାଠ ସଂଗ୍ରହ ହୋଇଛି। ଆବଶ୍ୟକ କାଠ କେଉଁ ଠାରୁ ଆସିବ ଏବଂ କେତେ ପରିମାଣର ନୂତନ କାଠ ଆବଶ୍ୟକ ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା ମଧ୍ୟ ହୋଇଥିଲା। ମନ୍ଦିର ରଙ୍ଗ କରାଯିବା ସହ ରଙ୍ଗ ବେରଙ୍ଗ ଆଲୋକମାଳାରେ ସଜ୍ଜିତ କରିବା ସହ ରୀତିନୀତି ପାଳନ ନେଇ ଆଲୋଚନା କରିଥିଲେ।

ଅନ୍ୟ ଏଜେଣ୍ଡା ମଧ୍ୟରେ ରଥ ଦଉଡ଼ି, ବାରିପଦା ସମେତ ଅନ୍ୟ ୬ଟି ସ୍ଥାନରେ ରଥଯାତ୍ରା ନେଇ ଆବଶ୍ୟକ ଅର୍ଥ ବ୍ୟବସ୍ଥା, ଆଇନ ଶୃଙ୍ଖଳା ବ୍ୟବସ୍ଥା, ବଡ଼ଦାଣ୍ଡ ରାସ୍ତା ମରାମତି, ପାନୀୟ ଜଳ, ସାଂସ୍କୃତିକ କାର୍ଯ୍ୟକ୍ରମ, ଅଗ୍ନିଶମ ବିଭାଗ ବ୍ୟବସ୍ଥା, ଅସ୍ଥାୟୀ ଦୋକାନ ଓ ମୀନା ବଜାର, ସହରର ପରିମଳ ବ୍ୟବସ୍ଥା ଓ ସୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଆମ୍ବୁଲାନ୍ସ ଓ ଅଗ୍ନିଶମ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହେବା ସହ ଉକ୍ତ ବିଭାଗକୁ ଏଥିପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କିପରି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା। ନବଦିନ ବ୍ୟାପୀ ଶ୍ରୀଜୀଉଙ୍କ ରଥଯାତ୍ରା କିପରି ସୁରୁଖୁରୁରେ ହେବ ସେନେଇ ସମସ୍ତ ବିଭାଗକୁ ଜିଲ୍ଲାପାଳ ଦାୟିତ୍ୱ ନ୍ୟସ୍ତ କରିଛନ୍ତି।

ବୈଠକରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାନ୍ସଦା, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଦୌଲତ ଚନ୍ଦ୍ରକାର ଓ ଅତିରିକ୍ତ ଏସପି ଉମାକାନ୍ତ ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ ।