ଲୋକାର୍ପଣ ଉତ୍ସବକୁ ଆସିଲେନି ଶଙ୍କରାଚାର୍ଯ୍ୟ
ତେବେ ଏଠି ପ୍ରଶ୍ନ ଉଠୁଛି, ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ କାହିଁକି ଯୋଗଦେଲେନି ଶଙ୍କରାଚାର୍ଯ୍ୟ?

ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କର ଦେଖା ମିଳିଲା ନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି, ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ କାହିଁକି ଯୋଗଦେଲେନି ଶଙ୍କରାଚାର୍ଯ୍ୟ?
ଏହାକୁ ନେଇ ନାନା ଚର୍ଚ୍ଚା ଲାଗି ରହିଥିବା ସ୍ପଷ୍ଟୀକରଣ ରଖିଛନ୍ତି ଗୋବର୍ଦ୍ଧନ ପୀଠର ଲୋକସମ୍ପର୍କ ଅଧିକାରୀ।
ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଯେତେବେଳେ ଲୋକାର୍ପଣ ଉତ୍ସବ ପାଇଁ ତାରିଖ ଧାର୍ଯ୍ୟ କରାଗଲା, ସେତେବେଳେ ନା ଜଗତଗୁରୁଙ୍କ ପରାମର୍ଶ ନିଆଯାଇଥିଲା ନା ତାଙ୍କୁ ପଚରା ଯାଇଥିଲା। ନିଶ୍ଚିତ ଭାବେ ଏଥିରେ ତ୍ରୁଟି ଘଟିଥିଲା। ବର୍ତ୍ତମାନ ପଶ୍ଚିମବଙ୍ଗ ଗଙ୍ଗା ସ୍ନାନ ଉତ୍ସବରେ ଶଙ୍କରାଚାର୍ଯ୍ୟ ମୁଖ୍ୟ ପୁରୋଧା ଭାବେ ସାମିଲ ହୋଇଛନ୍ତି। ସେଠାରୁ ଫେରିବା ପରେ ପରିଚାଳନା କମିଟି ସହ କଥା ହେବେ ବୋଲି କହିଛନ୍ତି ଗୋବର୍ଦ୍ଧନ ପୀଠର ଲୋକସମ୍ପର୍କ ଅଧିକାରୀ।
ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ଗଜପତି ମହାରାଜା ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶଙ୍କରାଚାର୍ଯ୍ୟଙ୍କ ପାଖକୁ ଯାଇ ନିମନ୍ତ୍ରଣ କରିଥିଲେ। ତେବେ ଏନେଇ ରାଜ୍ୟ ସରକାର କିମ୍ବା ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।