ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର
ଦେଶ ଗଠନରେ ଶ୍ରମିକଙ୍କ ଜୀବନ ବହୁ ମୂଲ୍ୟବାନ: ମନ୍ତ୍ରୀ ନିରଞ୍ଜନ ପୂଜାରୀ

ଦେଶ ଗଠନରେ ଜଣେ କାରଖାନାର ମାଲିକଙ୍କ ଜୀବନ ଯେତିକି ମୂଲ୍ୟବାନ ଜଣେ ଶ୍ରମିକଙ୍କ ଜୀବନ ମଧ୍ୟ ସେତିକି ମୂଲ୍ୟବାନ।ଏହାକୁ ହୃଦୟଙ୍ଗମ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ ପାଇଁ ହାତ ବଢାଇଛନ୍ତି ବୋଲି ରବିବାର ଆୟୋଜିତ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ସୋନପୁର ବିଧାୟକ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏଭଳି କହିଛନ୍ତି। ୫୭ ନମ୍ବର ଜାତୀୟ ରାଜପଥ ତରଭା ଛକରେ ଥିବା ନରୋତ୍ତମ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଅଧ୍ୟକ୍ଷତା କରିଥିବା ବେଳେ ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ ଓ ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର, ତରଭା ଓ ଡୁଙ୍ଗୁରିପାଲି ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ପଞ୍ଜିକୃତ ହୋଇଥିବା ଶ୍ରମିକ ମାନଙ୍କୁ ଏହି ଶିବିରରେ ସହାୟତା ପ୍ରଦାନ କରାଯାଉଛି ବୋଲି ଶ୍ରମ ଅଧିକାରୀ ଶ୍ରୀ ଖାଖା କହିବା ସହ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ବଳିଷ୍ଠ ନେତୃତ୍ୱରେ କରୋନା ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ଓ ଦ୍ଵିତୀୟ ପର୍ଯ୍ୟାୟରେ ଜିଲ୍ଲାର ୮୦ ହଜାର ଶ୍ରମିକଙ୍କୁ ସହାୟତା ପ୍ରଦାନ କରି ଉଦାହରଣ ସୃଷ୍ଟି କରାଯାଇ ପାରିଛି ବୋଲି କହିଥିଲେ।
ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶରେ ପ୍ରଥମେ ଚିନ୍ତା କରିଥିଲେ ବୋଲି ଅନ୍ୟତମ ଅତିଥି ଶ୍ରୀ କମ୍ପ କହିଥିଲେ।ଜିଲ୍ଲାପାଳ ଶ୍ରୀ ରାୟ ତାଙ୍କ ବକ୍ତବ୍ୟରେ ନବୀନ ଓଡିଶା ଗଠନରେ ଶ୍ରମିକଙ୍କ ଅବଦାନ ଅତୁଳନୀୟ ବୋଲି କହିବା ସହ ଯେଉଁ ନିର୍ମାଣ ଶ୍ରମିକ ମାନେ ପଞ୍ଜିକୃତ ହୋଇ ନାହାନ୍ତି ସେମାନେ ପଞ୍ଜିକୃତ ହେବାସହ ପ୍ରତିବର୍ଷ ନବୀକରଣ ପାଇଁ ଆହ୍ୱାନ ଦେଇଥିଲେ।ପ୍ରାରମ୍ଭରେ ମା ସୁରେଶ୍ୱରୀଙ୍କ ଫୋଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।ଏହି ଶିବିରରେ ସୋନପୁର, ଡୁଙ୍ଗୁରିପାଲି ଓ ତରଭା ପ୍ରଭୃତି ତିନିଗୋଟି ବ୍ଲକର ମୋଟ ୫୧୦ ଜଣ ପଞ୍ଜିକୃତ ନିର୍ମାଣ ଶ୍ରମିକ ମାନଙ୍କୁ ୨ କୋଟି ୯୬ ଲକ୍ଷ ୩୯ ହଜାର ୨୦୦ ଟଙ୍କା ପ୍ରଦାନ କରାଯାଇଥିଲା ।
ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ଶିକ୍ଷା ସହାୟତା ବାବଦରେ ୪ ଲକ୍ଷ ୪୯ ହଜାର ୨ ଶହ ଟଙ୍କା, ବିବାହ ସହାୟତା ପାଇଁ ୩୦୦ ଜଣଙ୍କୁ ୧ କୋଟି ୫୦ ଲକ୍ଷ ଟଙ୍କା, ପ୍ରସୁତୀ ସହାୟତା ବାବଦକୁ ୨୫ ଜଣଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା, ଅନ୍ତ୍ୟେଷ୍ଟି କ୍ରିୟା ନିମନ୍ତେ ୬୮ ଜଣଙ୍କୁ ୩ ଲକ୍ଷ ୪୦ ହଜାର ଟଙ୍କା ଓ ମୃତ୍ୟୁ କାଳୀନ ସହାୟତା ବାବଦକୁ ୬୮ ଜଣଙ୍କୁ ୧ କୋଟି ୩୬ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ ।ଏହି ଅବସରରେ ଓଏଏସ ପାଇଥିବା ତରଭା ବ୍ଲକ ଅଧିନସ୍ଥ ଜରାଜାରିଙ୍ଗି ଗ୍ରାମ ପଞ୍ଚାୟତର ରଙ୍ଗପୁର ଗ୍ରାମର ସୁଶ୍ରୀ ନିହାରିକା ଝାଙ୍କରଙ୍କୁ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଖାଖା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମାନଭଞ୍ଜନ ମିଶ୍ର ପରିଚାଳନା କରିଥିବା ବେଳେ ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଏଥିରେ ତିନିଗୋଟି ବ୍ଲକର ସମସ୍ତ ପଞ୍ଜିକୃତ ନିର୍ମାଣ ଶ୍ରମିକ,ବିଭିନ୍ନ ପଞ୍ଚାୟତର ସରପଞ୍ଚ ,ସମିତି ସଭ୍ୟ,ସଭ୍ୟା ମାନେ ଯୋଗ ଦେଇଥିଲେ ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର