ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ଠାବ, ୮ ଗିରଫ

ରାଜଧାନୀର କ୍ୟାପିଟାଲ ଥାନା ପୋଲିସକୁ ଏକ ବଡ ସଫଳତା ମିଳିଛି । ଏକ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ପୋଲିସ ଠାବ କରିଛି । ଗ୍ୟାଙ୍ଗର ୮ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ଅନେକ ସାମଗ୍ରୀ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଝାଡଖଣ୍ଡର ଶେରଶା ମହତୋ, ଭୁଲୁ ନୁନିଆ, ରାହୁଲ ନୁନିଆ, ଛୋଟୁ ରାୟ, ଛୋଟେଲାଲ ମହତୋ, ପଶ୍ଚିମବଙ୍ଗର ସୋନୁ ନୁନିଆ, ସୁବାଷ ନୁନିଆ ଓ ସୋନୁ ନୁନିଆ ।
ପୋଲିସ ଏମାନଙ୍କ ଠାରୁ ୧.୩ଲକ୍ଷ ଟଙ୍କା, ମୋବାଇଲ ଓ ଏଟିଏମ କାର୍ଡ ଆଦି ଜବତ କରିଛି । ଏମାନଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।
ସୂଚନା ଅନୁସାରେ, ଏହି ଅନ୍ତଃରାଜ୍ୟ ଗ୍ୟାଙ୍ଗ 'ପାହାଡି ଗ୍ୟାଙ୍ଗ' ନାଁରେ ସାରା ଦେଶରେ ପରିଚିତ । ଏମାନେ ବିଭିନ୍ନ ରାଜ୍ୟକୁ ଯାଇ ଲୁଟପାଟ କରନ୍ତି । ବିଶେଷ କରି ପୂଜା ପର୍ବାଣୀ ଓ ଜନସମାବେଶ ସମୟରେ ସେମାନେ ବିଭିନ୍ନ ରାଜ୍ୟକୁ ଯାଇ ଲୁଟ୍ପାଟ୍ କରନ୍ତି । ଏହି କ୍ରମରେ ସେମାନେ ପୂଜା ସମୟରେ ଭୁବନେଶ୍ୱର ଆସିଥାନ୍ତି । ପ୍ରାୟ ୧୫ ଜଣିଆ ଗ୍ୟାଙ୍ଗ ଭୁବନେଶ୍ୱର ଆସି ଜନଗହଳି ସ୍ଥାନରୁ ମୋବାଇଲ ଓ ପର୍ସ ଲୁଟ କରିଥାନ୍ତି । ମୋବାଇଲ ଲୁଟ କରିବା ପରେ ସେମାନେ ଉକ୍ତ ସିମ କାର୍ଡକୁ ବ୍ୟବହାର କରି ଲୋକଙ୍କ ୟୁପିଆଇ ଆଇଡିରୁ ମୋଟ ଅଙ୍କର ଟଙ୍କା ଲୁଟି ନେଇଥାନ୍ତି ।
ପ୍ରାୟ ୧୨ରୁ ଅଧିକ ଲେକାଙ୍କ ଠାରୁ ଏହି ଗ୍ୟାଙ୍ଗ ୧୪ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା । ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଏହି ଘଟଣା ପଛରେ ପାହାଡି ଗ୍ୟାଙ୍ଗର ହାତ ଥିବା ସୂଚନା ପାଇଥିଲା । ଏହି ଗ୍ୟାଙ୍ଗକୁ ଧରିବା ଲାଗି ପୋଲିସ ଛାନଭିନ ଆରମ୍ଭ କରିଥିଲା । ତେବେ ଦୁଇଦିନ ତଳେ ଏହି ଗ୍ୟାଙ୍ଗ ଭୁବନେଶ୍ୱର ଆସିଥିବା ଓ ମୋ ବସ୍ରୁ ଲୁଟପାଟ କରୁଥିବା ପୋଲିସ ଜାଣିବାକୁ ପାଇଥିଲା ।
ଏହା ଜଣାପଡିବା ପରେ କ୍ୟାପିଟାଲ ଥାନା ଅଧିକାରୀ ପଦ୍ମନାଭ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଗ୍ୟାଙ୍ଗ ଉପରେ ନଜର ରଖିଥିଲା । ଗତକାଲି ଏହି ଗ୍ୟାଙ୍ଗର ଜଣେ ସଦସ୍ୟକୁ ପୋଲିସ ଠାବ କରିଥିଲା । ପରେ ଗ୍ୟାଙ୍ଗର ୮ଜଣ ସଦସ୍ୟକୁ ଗିରଫ କରିଥିଲା । ଏହି ଗ୍ୟଙ୍ଗ ଠାରୁ ୨୨ଟି ଫୋନ୍ ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ ହୋଇଛି । ଏମାନଙ୍କ ନାଁ ରେ ରାଜ୍ୟ ଓ ରାଜ୍ୟ ବାହାରେ ଏକାଧିକ ମାମଲା ରହିଛି । ତେବେ ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନେ ପୋଲିସକୁ ଚକମା ଦେଇ ଖସିଯିବାରେ ସକ୍ଷମ ହୋଇଥିଲେ । ପୋଲିସ ସେମାନଙ୍କୁ ଧରିବାକୁ ଉଦ୍ୟମ କରୁଛି ।