କାଳବୈଶାଖୀ ଦେଖାଇଲା ଉଗ୍ର ରୂପ
କାଳବୈଶାଖୀ ଆଜି ଅପରାହ୍ଣ ସମୟରେ ମାଲକାନଗିରିରେ ତାଣ୍ଡବ ରଚିଛି।

କାଳବୈଶାଖୀ ଆଜି ଅପରାହ୍ଣ ସମୟରେ ମାଲକାନଗିରିରେ ତାଣ୍ଡବ ରଚିଛି। ମାଲକାନଗିରିବାସୀ ଆଜି କାଳବୈଶାଖୀର ଉଗ୍ର ରୂପ ଦେଖିବାକୁ ପାଇଛନ୍ତି। ନିର୍ମାଣାଧୀନ ଏୟାରଷ୍ଟ୍ରିପ୍ର ପାଚେରୀ ଭାଙ୍ଗିଯାଇଛି। ଫଳରେ ଏଠାରେ କାର୍ଯ୍ୟରତ ୩ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ମାଲକାନଗିରି ସହର ନିକଟସ୍ଥ ସତୀଗୁଡ଼ା ଜଳଭଣ୍ଡାରରେ ୨ଟି ଡଙ୍ଗା ବୁଡ଼ିଯାଇଥିବାରୁ ୨ ଜଣ ମତ୍ସଜୀବୀ ନିଖୋଜ ଅଛନ୍ତି। ସେମାନଙ୍କର ପରିଚୟ ମିଳିନାହିଁ। କିନ୍ତୁ ସେମାନେ ଜଳଭଣ୍ଡାର ଭିତରକୁ ମାଛ ଧରିବାକୁ ଯାଇଥିଲେ ବୋଲି କୁହାଯାଉଛି।
ସତୀଗୁଡ଼ା ଜଳଭଣ୍ଡାରରେ ନିଖୋଜ ୨ ଜଣ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ସ୍ବତନ୍ତ୍ର ରିଲିଫ୍ କମିସନର (ଏସ୍ଆରସି)ଙ୍କ ତତ୍ପରତା ଦେଖାଯାଇଛନ୍ତି। ସେ କେରାପୁଟସ୍ଥିତ ଓଡ୍ରାଫ୍ ଟିମ୍କୁ ମାଲକାନଗିରି ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସନ୍ଧାନ କାର୍ଯ୍ୟରେ ଓଡ୍ରାଫ୍ ଟିମ୍କୁ ସହଯୋଗ କରିବା ପାଇଁ ଅଗ୍ନିଶମ ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କ୍ଷତିଗ୍ରସ୍ତ ବିଦ୍ୟୁତ ଭିତ୍ତିଭୂମି ଶୀଘ୍ର ସଜାଡିବାକୁ ଟାଟା ପାୱାରକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଆଜି ଅପରାହ୍ଣ ସମୟରେ ପ୍ରାୟ ୧୫ ମିନିଟ ଧରି ମାଲକାନଗିରିରେ କାଳବୈଶାଖୀ ଉଗ୍ର ରୂପ ଧରିଥିବା ଦେଖିବାକୁ ମିଳିଥିଲା। ଏଥିରେ ସହର ଭିତରେ ଥିବା କିଛି ଦୋକାନର ଟିଣ ଆଜବେଷ୍ଟସ୍ ଉଡାଇ ନେଇଥିଲା। ବଡ଼ବଡ଼ ଗଛ ଓ ଛପର ଘର ଭାଙ୍ଗିଦେଇଥିଲା। ଏବେ ଚାରିଆଡେ ରାସ୍ତାଗୁଡ଼ିକରେ ଗଛ ଡାଳ ପଡ଼ିଛି। ଅନେକ ସ୍ଥାନରେ ରାସ୍ତା ଅବରୋଧ ହୋଇଛି। ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ର କର୍ମଚାରୀମାନେ ରାସ୍ତାଘାଟ ସଫା କରିବାରେ ନିୟୋଜିତ ଅଛନ୍ତି। କ୍ଷତିକ୍ଷତି ରିପୋର୍ଟ ଆସନ୍ତାକାଲି ସୁଦ୍ଧା ଦେବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି।