୫ଜି’ ପରେ ‘୬ଜି : ମୋଦୀ
‘୬ଜି’ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମଧ୍ୟ ନେତୃତ୍ବ ନେବା ଦିଗରେ ଭାରତ ଅଗ୍ରସର ହେଉଛି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

‘୬ଜି’ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମଧ୍ୟ ନେତୃତ୍ବ ନେବା ଦିଗରେ ଭାରତ ଅଗ୍ରସର ହେଉଛି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଜି ନୂଆଦିଲ୍ଲୀରେ ଚାଲିଥିବା ‘ଇଣ୍ଡିଆ ମୋବାଇଲ୍ କଂଗ୍ରେସ’ରେ ଉଦ୍ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ଆମେ କେବଳ ‘୫ଜି’ ସମ୍ପ୍ରସାରଣ ପାଇଁ ଉଦ୍ୟମ କରୁନାହୁଁ, ‘୬ଜି’ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବି ନେତୃତ୍ବ ନେବା ଦିଗରେ ଅଗ୍ରସର ହେଉଛୁ। ଉଦ୍ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘୨ଜି ସ୍ପେକ୍ଟ୍ରମ୍ ଦୁର୍ନୀତି’ ଲାଗି ‘ଉପା’ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ‘ଉପା’ ସରକାର ଅମଳରେ ‘୨ଜି ସ୍ପେକ୍ଟ୍ରମ୍ ଆବଣ୍ଟନ’ ସମୟରେ ଯାହା ହେଲା, ସେକଥା ସମସ୍ତେ ଜାଣନ୍ତି। ଆମ ସରକାର ସମୟରେ ‘୪ଜି’ ସମ୍ପ୍ରସାରିତ କରାଯାଇଥିଲା, କିନ୍ତୁ, ଆମ ଉପରେ କୌଣସି ଦୋଷାରୋପ ହୋଇନାହିଁ। ମୁଁ ସୁନିଶ୍ଚିତ ଯେ, ‘୬ଜି’ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବି ଭାରତ ବିଶ୍ବର ନେତୃତ୍ବ ନେବ।