ଆମେରିକା ହାଣ୍ଡିଶାଳରେ ପହଞ୍ଚିବ ଓଡ଼ିଶାର ଜିଅନ୍ତା ଚିଙ୍ଗୁଡ଼ି

ଓଡ଼ିଶାର ପୋଖରୀରୁ ଧରାହେଉଥିବା ଚିଙ୍ଗୁଡ଼ି ସେମିତି ଜିଅନ୍ତା ଅବସ୍ଥାରେ ସିଧା ଆମେରିକୀୟଙ୍କ ରୋଷେଇଘରେ ପହଞ୍ଚିବ

ଆମେରିକା ହାଣ୍ଡିଶାଳରେ ପହଞ୍ଚିବ ଓଡ଼ିଶାର ଜିଅନ୍ତା ଚିଙ୍ଗୁଡ଼ି

ଓଡ଼ିଶାର ପୋଖରୀରୁ ଧରାହେଉଥିବା ଚିଙ୍ଗୁଡ଼ି ସେମିତି ଜିଅନ୍ତା ଅବସ୍ଥାରେ ସିଧା ଆମେରିକୀୟଙ୍କ ରୋଷେଇଘରେ ପହଞ୍ଚିବ । ଖାଲି ଜିଅନ୍ତା ଗୋଟା ଚିଙ୍ଗୁଡ଼ି ନୁହେଁ, ଅଧାସିଝା କିମ୍ବା ପୂରା ସିଝା, ମୁଣ୍ଡ ଲାଗିଥିବା ବା ଫଡାଯାଇ ବେଙ୍ଗ ଭଳି ଭିନ୍ନ ଭିନ୍ନ ଆକୃତି ଦିଆଯାଇଥିବା, ଏମିତି ନାନା ରକମର ଚିଙ୍ଗୁଡ଼ି ଆମ ରାଜ୍ୟରୁ ପ୍ରସେସ୍ଡ୍ ହୋଇ ଆମେରିକା ସହିତ ଅନ୍ୟ କେତେକ ଦେଶକୁ ରପ୍ତାନି ହେବ।

ଏଭଳି ବ୍ୟବସ୍ଥା ଓ ଯୋଜନାକୁ ବାସ୍ତବ ରୂପ ଦେବାକୁ ଯାଉଛି ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶାଳୟ ।

ସରକାରୀ ସହାୟତାରେ ଅତ୍ୟାଧୁନିକ ପ୍ରସେସିଂ ପ୍ଲାଣ୍ଟ୍ ବସାଇ କିମ୍ବା ପୂର୍ବରୁ ଥିବା ପ୍ଲାଣ୍ଟ୍କୁ ଅପ୍ଗ୍ରେଡ୍ କରାଇ ଓଡ଼ିଶା ଉତ୍ପାଦିତ ‘ଭେନାମି’ ଚିଙ୍ଗୁଡ଼ିକୁ ଦେଶ ବାହାରକୁ ରପ୍ତାନି କରିବା ପାଇଁ ନିର୍ଦ୍ଦେଶାଳୟ ଏବେ ଅଣ୍ଟା ଭିଡ଼ିଛି । ଖାଲି ପ୍ରସେସିଂ ପ୍ଲାଣ୍ଟ୍ ବସାଇଥିବା ଉଦ୍ୟୋଗୀ ନୁହନ୍ତି, ଖାରପାଣିରେ ଚିଙ୍ଗୁଡ଼ି ଚାଷ କରୁଥିବା ଚାଷୀଙ୍କ ଉତ୍ପାଦନ ବଢ଼ାଇବାକୁ ମଧ୍ୟ ବିଭାଗ ଜୋର୍ଦାର୍ ଉଦ୍ୟମ କରୁଛି । ରାଜ୍ୟରେ ଏବେ ଖାରପାଣି ବା ଖାରିପାଣିରେ ଉତ୍ପାଦିତ ହେଉଥିବା ଚିଙ୍ଗୁଡ଼ି ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ‘ଭେନାମି’ ବା ‘ହ୍ୱାଇଟ୍ ଲେଗ୍ ସ୍ରୀମ୍ପ୍’ ପ୍ରଜାତିର ଚିଙ୍ଗୁଡ଼ି ରହିଛି । ଏସବୁ ଚିଙ୍ଗୁଡ଼ି ରାଜ୍ୟ ତଥା ରାଜ୍ୟ ବାହାର ଗ୍ରାହକଙ୍କ ଚାହିଦା ମେଣ୍ଟାଉଛି ଏବଂ ଏହି ଉତ୍ପାଦନର ଏକ ବଡ଼ ଅଂଶ ଦେଶ ବାହାରକୁ ରପ୍ତାନି ହେଉଛି ।

ରପ୍ତାନି ପୂର୍ବରୁ ଚିଙ୍ଗୁଡ଼ିକୁ କାରଖାନାରେ ପ୍ରସେସିଂ ବା ଆବଶ୍ୟକୀୟ ସଫେଇ, ସଂରକ୍ଷଣ (ପ୍ରିଜର୍ଭ)ର ବ୍ୟବସ୍ଥା କରାଯାଉଛି । ଏହି ପ୍ରସେସିଂ ପାଇଁ ଏବେ ୪୩ଟି ପଞ୍ଜିକୃତ ପ୍ଲାଣ୍ଟ୍ ରାଜ୍ୟରେ ରହିଛି । ଏସବୁ ପ୍ଲାଣ୍ଟ୍ରୁ ଚିଙ୍ଗୁଡ଼ି ନେଇ ଦେଶ ବାହାରକୁ ରପ୍ତାନି କରିବା ପାଇଁ ୬୨ଟି ଏକ୍ସପୋର୍ଟ ବା ରପ୍ତାନିକାରୀ ସଂସ୍ଥା ଅଛନ୍ତି । ବର୍ତ୍ତମାନ ପ୍ଲାଣ୍ଟ୍ରେ ହେଉଥିବା ପ୍ରସେସିଂ ଅନୁସାରେ, ଚିଙ୍ଗୁଡ଼ିକୁ ତିନି ପ୍ରକାର ଉପାୟରେ ପ୍ରସେସ୍ କରାଯାଉଛି । ପ୍ରଥମଟିରେ ଚିଙ୍ଗୁଡ଼ିର ଚୋପା ସହିତ ଶରୀରର ସବୁ ଅଦରକାରୀ ଜିନିଷକୁ କାଢ଼ି କେବଳ ମାଂସ ରଖାଯାଉଛି । ଦ୍ୱିତୀୟରେ ଚିଙ୍ଗୁଡ଼ିର କେବଳ ଲାଞ୍ଜ ରଖି ବାକି ଖୋଳପା ଛଡ଼ାଇ ପିଠିକୁ ଦୁଇ ଫଡ଼ା କରାଯାଉଛି । ତୃତୀୟରେ କେବଳ ଲାଞ୍ଜ ରଖି ମାଂସରେ ଥିବା କଳା ଭେନ୍ ବା ଶିରାକୁ କାଢ଼ି ଦିଆଯାଉଛି । ଏହି ତିନି ପ୍ରକାରର ପ୍ରସେସ୍ଡ୍ ଚିଙ୍ଗୁଡ଼ି ଏବେ ଏକ୍ସପୋର୍ଟ ହେଉଛି ।

ସରକାରୀ ତଥ୍ୟ ମୁତାବକ, ଗତ ବର୍ଷ ୮୪ ହଜାର ୨୩୧ ମେଟ୍ରିକ୍ ଟନ୍ ଚିଙ୍ଗୁଡ଼ି ବିଦେଶକୁ ରପ୍ତାନି ହୋଇଛି । ଯାହାର ମୂଲ୍ୟ ୩ ହଜାର ୯୫୫ କୋଟି ଟଙ୍କା ହେବ । ବର୍ତ୍ତମାନ ଚିଙ୍ଗୁଡ଼ିକୁ ଭିନ୍ନ ଢଙ୍ଗରେ ପ୍ରସେସିଂ ସହ ଭାଲ୍ୟୁ ଆଡିସନ୍ ବା ଅତ୍ୟାଧୁନିକ ଉପାୟରେ ସଫେଇ, ସଂରକ୍ଷଣ ଓ ମୂଲ୍ୟଯୁକ୍ତ କରି ଅନ୍ୟ ରାଜ୍ୟ ଓ ଦେଶର ପ୍ରମୁଖ ଏକ୍ସପୋର୍ଟରମାନେ ଆମେରିକା ସହିତ ଅନ୍ୟ କିଛି ଦେଶରେ ପହଞ୍ଚାଉଛନ୍ତି । ତେଣୁ ଆମ ରାଜ୍ୟରେ ମଧ୍ୟ ସେଭଳି ଢଙ୍ଗରେ ପ୍ରସେସିଂ କରି ବିଦେଶକୁ ରପ୍ତାନି କରିବା ପାଇଁ ମତ୍ସ୍ୟ ବିଭାଗ ନୂଆ କରି ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ କାର୍ଯ୍ୟକାରୀ କରୁଛି । ପୂର୍ବରୁ ଥିବା ପ୍ଳାଣ୍ଟ୍ ବା ନୂଆ କରି ବସାଇବାକୁ ଥିବା ପ୍ଲାଣ୍ଟ୍କୁ ଏଥିପାଇଁ ସରକାରୀ ପ୍ରୋତ୍ସାହନ ଦିଆଯାଉଛି । ସାଧାରଣ ବର୍ଗର ପ୍ଲାଣ୍ଟ୍ ମାଲିକଙ୍କ ପାଇଁ ଯନ୍ତ୍ରପାତି କିଣା ଓ ସ୍ଥାପନ ଉପରେ ୩୦ ପ୍ରତିଶତ ରିହାତି ଦିଆଯାଉଛି । ଯାହାକି ସର୍ବାଧିକ ସାଢ଼େ ୩କୋଟି ହୋଇପାରିବ । ସେହିପରି ଅନୁସୂଚୀତ ଜାତି, ଜନଜାତି ସହିତ ଅନ୍ୟ ବର୍ଗର ଲୋକଙ୍କ ପାଇଁ ଏହି ରିହାତି ୩୫ ପ୍ରତିଶତ ଓ ସର୍ବାଧିକ ସାଢ଼େ ୪କୋଟି ପର୍ଯ୍ୟନ୍ତ ମିଳିବ । ଏସବୁ ପ୍ଲାଣ୍ଟ୍ରେ ଜିଅନ୍ତା ଚିଙ୍ଗୁଡ଼ିକୁ ସିଧାସଳଖ ବିଦେଶ ପଠାଇବା ସହିତ ପ୍ରାୟ ୮ଟି ନୂଆ ଶୈଳୀରେ ପ୍ରସେସିଂ କରିବାର ବ୍ୟବସ୍ଥା ରହିଛି । ନୂଆ ଢଙ୍ଗରେ ପ୍ରସେସିଂ କରାଗଲେ ରପ୍ତାନି ବଢ଼ିବ ବୋଲି ବିଭାଗ ଆଶା ରଖିଛି । ଏପରିକି ଏକ୍ସପୋର୍ଟ ବା ରପ୍ତାନି ଲକ୍ଷ୍ୟକୁ ୧ ଲକ୍ଷ ମେଟ୍ରିକ୍ ଟନ୍ କରିବାକୁ ଟାର୍ଗେଟ୍ ନିଆଯାଇଛି ।

ଅନ୍ୟପଟେ ଖାରିପାଣିରେ ଚିଙ୍ଗୁଡ଼ି ଚାଷ କରୁଥିବା କିଛି ଚାଷୀ ନିଜ ପଞ୍ଜିକରଣ ରିନ୍ୟୁ ବା ନବୀକରଣ କରିନାହାନ୍ତି । ଯେଉଁ ଚାଷୀମାନେ ୨୦୦୫ ପରଠାରୁ ଖାରିପାଣିରେ ଚିଙ୍ଗୁଡ଼ି ଚାଷ କରୁଛନ୍ତି ଓ କୌଣସି କାରଣବଶତଃ ପଂଜିକରଣ ରିନ୍ୟୁ କରିପାରି ନାହାନ୍ତି ସେମାନଙ୍କୁ ସରକାର ‘ଥରେ ମାତ୍ର କ୍ଷମା’ ଭଳି ଏକ ବ୍ୟବସ୍ଥା ଦ୍ୱାରା ପୁନଃ ପଞ୍ଜିକରଣ କରାଇବାକୁ ସୁଯୋଗ ଦେଉଛନ୍ତି । ୨୦୨୫ ଜାନୁଆରୀ ୭ ପର୍ଯ୍ୟନ୍ତ ଏହି ସୁବିଧା ଜାରି ରହିବ । ପଞ୍ଜିକରଣ ନକଲେ ଏଭଳି ଚାଷୀଙ୍କ ଉପରେ ପ୍ରଶାସନ ଯେକୌଣସି ସମୟରେ କାର୍ଯ୍ୟାନୁଷ୍ଠାନ ନେବାର ଆଶଙ୍କା ରହୁଥିବାରୁ ଚାଷୀମାନେ ଏ ଯୋଜନାର ସୁବିଧା ନେବାକୁ ମତ୍ସ୍ୟ ନିର୍ଦ୍ଦେଶାଳୟର ଜଣେ ଅଧିକାରୀ କହିଛନ୍ତି ।