ବାହାନଗା ରେଳ ଦୁର୍ଘଟଣା: ୪ ବରିଷ୍ଠ ଅଧିକାରୀଙ୍କୁ ବଦଳି

ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାର ୨୧ଦିନ ପରେ ଗୁରୁବାର ରେଳ ବୋର୍ଡ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି ।

ବାହାନଗା ରେଳ ଦୁର୍ଘଟଣା: ୪ ବରିଷ୍ଠ ଅଧିକାରୀଙ୍କୁ ବଦଳି

ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାର ୨୧ଦିନ ପରେ ଗୁରୁବାର ରେଳ ବୋର୍ଡ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି । ଦକ୍ଷିଣପୂର୍ବ ରେଳପଥର ବିଭିନ୍ନ ପଦବିରେ କାର୍ୟ୍ୟରତ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ବଦଳି କରାଯାଇଛି । ସେମାନଙ୍କ ମଧ୍ୟରୁ ଖଡ଼ଗପୁର ରେଳ ଡିଭିଜନର ଡିଭିଜନାଲ୍‌ ରେଳ ପ୍ରବନ୍ଧକ(ଡିଆରଏମ୍‌)ଥିବା ମହମ୍ମଦ ସୁଜାତ ହାସମିଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଆଜମେରର ରେଳ ନିଯୁକ୍ତି ବୋର୍ଡରେ ଅଧ୍ୟକ୍ଷ ଥିବା କେ.ଆର୍‌ ଚୌଧୁରୀଙ୍କୁ ନିଯୁକ୍ତି ଦିଆଯାଇଛି ।

ସେହିପରି ଦକ୍ଷିଣପୂର୍ବ ରେଳପଥର ପ୍ରମୁଖ ମୁଖ୍ୟ ସିଗ୍‌ନାଲ୍‌ ଓ ଟେଲି କମ୍ୟୁନିକେସନ୍‌ ଇଞ୍ଜିନିୟର୍‌ ଥିବା ପି.ଏମ୍‌ ସିକଦାରଙ୍କୁ ଉତ୍ତର କେନ୍ଦ୍ରୀୟ ରେଳପଥ (ଏନ୍‌ସିଆର)କୁ ବଦଳି କରାଯାଇଛି । ତାଙ୍କୁ ଅଫିସର୍‌ ଅନ୍‌ ସ୍ପେଶାଲ୍‌ ଡ୍ୟୁଟି ବା ଓଏସ୍‌ଡି ଭାବେ ବଦଳି କରାଯାଇଛି । ଅନୁରୂପ ଭାବେ ଦକ୍ଷିଣପୂର୍ବ ରେଳପଥର ପ୍ରମୁଖ ମୁଖ୍ୟ ନିରାପତ୍ତା ଅଧିକାରୀ (ପ୍ରିନ୍ସିପାଲ୍‌ ଚିଫ୍‌ ସେଫ୍ଟି ଅଫିସର୍‌) ଚନ୍ଦନ ଅଧିକାରୀଙ୍କୁ ଉତ୍ତର ପୂର୍ବ ସୀମାରେଳ(ଏନଏଫଆର୍‌)କୁ ବଦଳି କରାଯାଇଛି । ଦକ୍ଷିଣପୂର୍ବ ରେଳପଥରେ ପ୍ରମୁଖ ମୁଖ୍ୟ ବାଣିଜ୍ୟ ପ୍ରବନ୍ଧକ (ପିସିସିଏମ୍‌) ଥିବା ଏମ୍‌ଡି ୱଏସ୍‌ଙ୍କୁ ବି ଉତ୍ତର ପୂର୍ବ ସୀମାରେଳକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ସାତ୍ୟକି ନାଥଙ୍କୁ ପିସିସିଏମ (ସିଏଚଓଡି) ଭାବେ ନିଯୁକ୍ତି ଦିଆଯାଇଛି ।ଅପରପକ୍ଷେ ବାହାନଗା ରେଳ ଦୁର୍ଘଟଣା ପରେ ଦକ୍ଷିଣପୂର୍ବ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ (ଏଜିଏମ) ଅତୁଲ୍ୟ ସିହ୍ନାଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ଦୁର୍ଘଟଣାର ସିବିଆଇ ତଦନ୍ତ ଜାରି ରହିଛି ।