‘ଏକାମ୍ର ପ୍ରକଳ୍ପ’ କ୍ଷେତ୍ର ପରିଦର୍ଶନ ସହ ସମୀକ୍ଷା କଲେ ୫-ଟି ସଚିବ

ଧାର୍ଯ୍ୟ ସମୟ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ଏକାମ୍ର ପ୍ରକଳ୍ପର କାର୍ଯ୍ୟ ଶେଷ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

‘ଏକାମ୍ର ପ୍ରକଳ୍ପ’ କ୍ଷେତ୍ର ପରିଦର୍ଶନ ସହ ସମୀକ୍ଷା କଲେ ୫-ଟି ସଚିବ

ଧାର୍ଯ୍ୟ ସମୟ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ଏକାମ୍ର ପ୍ରକଳ୍ପର କାର୍ଯ୍ୟ ଶେଷ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଥମେ ତାଲେଶ୍ୱରରୁ କୋଟିତୀର୍ଥେଶ୍ୱର ରାସ୍ତା, ଓ ସାନେଟୋରିୟମ୍ ଛକରୁ ତାଲେଶ୍ୱର ପର୍ଯ୍ୟନ୍ତ ବକ୍ସ ଡ୍ରେନ୍ ଆରମ୍ଭ ହେବ । ପରେ ସର୍ବସାଧାରଣ ସୁବିଧା ନିମନ୍ତେ ପଶ୍ଚିମ ଓ ଉତ୍ତର ପାଶ୍ୱର୍ ପାର୍କିଂ, ପୂର୍ବଦ୍ୱାର ଛକର ଉଭୟ ପାର୍ଶ୍ୱ ଓ ବାହ୍ୟ ପ୍ରବେଶ ରାସ୍ତାରେ ସଂପ୍ରସାରଣ ଏବଂ ଶ୍ରୀଲିଙ୍ଗରାଜ ହାଟ ଓ ଦକ୍ଷିଣ ପଶ୍ଚିମ ପାଶ୍ୱର୍ରେ ପାର୍କିଂ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ପ୍ର୍ରସ୍ତୁତ ଡିଜାଇନ ଅନୁସାରେ ଆନୁସଙ୍ଗିକ ଯନ୍ତ୍ରପାତି କିଣିବାକୁ ନିୟୋଜିତ ଏଜେନ୍ସିକୁ ନିର୍ଦ୍ଦେଶ ଦିଆଯାଇଛି ।

ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ଏକାମ୍ର ପ୍ରକଳ୍ପର ଅଗ୍ରଗତି ନେଇ ୫-ଟି ସଚିବ ଭିକେ ପାଣ୍ଡିଆନ କାର୍ଯ୍ୟର ସମୀକ୍ଷା କରି ଏହି ସୂଚନା ଦେଇଛନ୍ତି । କ୍ଷେତ୍ର ପରିଦର୍ଶନ କରି ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ, ଏକାମ୍ର ପ୍ରକଳ୍ପଟି ୨୦୧୯ରେ ଘୋଷଣା ହୋଇଥିଲାବେଳେ ଚଳିତ ବର୍ଷ ଜୁନ୍ ୨୮ରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ‘ଏକାମ୍ର କ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନ’ ବା ‘ଏକାମ୍ର’ ପ୍ରକଳ୍ପ ୮୦ ଏକର ଜମିରେ ହେଉଛି । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଏକାମ୍ର କ୍ଷେତ୍ରର ସ୍ଥାପତ୍ୟ ଓ ପ୍ରତ୍ନତାତ୍ତ୍ୱିକ ଐତିହ୍ୟର ବିକାଶ ସହ ଟ୍ରାଫିକ୍ ଚଳାଚଳ ପାଇଁ ୧୨ରୁ୧୮ ମିଟର ପ୍ରଶସ୍ତ ରାସ୍ତା ବ୍ୟବସ୍ଥା କରାଯାଉଛି । ଏହାଦ୍ୱାରା ବିନ୍ଦୁସାଗରରୁ ଅନନ୍ତ ବାସୁଦେବ ମନ୍ଦିର ଯାଏ ରାସ୍ତା ଚଉଡ଼ା ଯୋଗୁଁ ଶ୍ରାଦ୍ଧକର୍ମ ପାଇଁ ଅଧିକ ସ୍ଥାନ ମିଳିବ । ଦେଢ଼ ବର୍ଷରେ ସରିବ ଏହି ପ୍ରକଳ୍ପ । ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୨୮୦ କୋଟି ଟଙ୍କା । ୧୦୧ ଜଣଙ୍କ ଠାରୁ ୧୧୪ଟି ପ୍ଲଟ୍ ସିଧାସଳଖ କିଣାଯାଇଛି । ଆଗକୁ ୫.୭ ଏକର ଜାଗା ଅଧିଗ୍ରହଣ କରାଯିବ ବୋଲି ପ୍ରସ୍ତାବ ରହିଛି ବୋଲି ଶ୍ରୀ ପାଣ୍ଡିଆନ ସ୍ପଷ୍ଟ କରିଥିଲେ ।

ଉକ୍ତ ସମୀକ୍ଷା ବେଳେ ପ୍ରମୁଖ ଶାସନ ସଚିବ ଭି.ଭି ଯାଦବ, ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ବିଏମ୍‌ସି କମିଶନର ଭି ଏ କୁଲାଙ୍ଗେ, ଖୋର୍ଦ୍ଧା ଜିଲ୍ଲାପାଳ କେ ଏସ୍ ଚକ୍ରବର୍ତ୍ତୀ, ଓବିସିସି ଏମ୍‌ଡି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଉଲ୍ଲେଖନୀୟ ଯେ, ଜୁନ ୨୮ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ ପୂର୍ବରୁ ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ ୫ଟି ସଚିବ ଭିକେ ପାଣ୍ଡିଆନ । ଯଜ୍ଞସ୍ଥଳୀରେ ପହଞ୍ଚି ପ୍ରଥମ ଶିଳା ସ୍ଥାନକୁ ନିରୀକ୍ଷଣ କରି ଯଜ୍ଞ ସ୍ଥଳୀ ଯାଇଥିଲେ । ପ୍ରକଳ୍ପ କାର୍ଯ୍ୟ ନେଇ ଉପଦେଷ୍ଟା କମିଟି ଅଧ୍ୟକ୍ଷଙ୍କ ସହ ସେ ଆଲୋଚନା କରବା ସହ ସବୁ ବ୍ୟବସ୍ଥାର ଯାଞ୍ଚ କରିଥିଲେ । ଏବେ ପୁଣି କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ସମୀକ୍ଷା କରିଛନ୍ତି ।