ଅନ୍ତର୍ଜାତୀୟ ପୁରସ୍କାର ଜିତିଲେ ଓଡ଼ିଶାର ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ଶ୍ରୀଜଗନ୍ନାଥଙ୍କ ବାଲୁକା ରଥ ନିର୍ମାଣ କରି ଅନ୍ତର୍ଜାତୀୟ ପୁରସ୍କାର ଜିତିଲେ ଓଡ଼ିଶାର ପ୍ରଖ୍ୟାତ ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ଶ୍ରୀଜଗନ୍ନାଥଙ୍କ ବାଲୁକା ରଥ ନିର୍ମାଣ କରି ଅନ୍ତର୍ଜାତୀୟ ପୁରସ୍କାର ଜିତିଲେ ଓଡ଼ିଶାର ପ୍ରଖ୍ୟାତ ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଋଷିଆର ସାଂସ୍କୃତିକ ରାଜଧାନୀ ସେଣ୍ଟ ପିଟର୍ସବର୍ଗ ଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଆନ୍ସିପ୍-୨୦୨୪ରେ ବିଜୟୀ ହୋଇ ଗୋଲ୍ଡେନ୍ ସ୍ୟାଣ୍ଡ୍ ମାଷ୍ଟର୍ସ ଆୱାର୍ଡ ସହ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ଶ୍ରୀ ପଟ୍ଟନାୟକ ।
ଆଇକନିକ୍ ପିଟର୍ ଆଣ୍ଡ୍ ପଲ୍ ଫୋଟ୍ ସମ୍ମୁଖରେ ୧୨ ଫୁଟ ଉଚ୍ଚ ବାଲୁକା କଳାରେ ସେ ରଥାରୁଢ଼ ଶ୍ରୀଜଗନ୍ନାଥ ଓ ଭକ୍ତ ବଳରାମ ଦାସଙ୍କୁ ପ୍ରଦର୍ଶିତ କରିଥିଲେ । ଜୁଲାଇ ୪ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଚାମ୍ପିଆନ୍ସିପ୍ର ଏହି ପ୍ରତିଯୋଗିତାରେ ସାରା ବିଶ୍ୱର ବାଲୁକାକଳାର ୨୧ ଜଣ ମାଷ୍ଟର୍ ଆର୍ଟିଷ୍ଟ ଅଂଶଗ୍ରହଣ କରିଥିଲେ । ଭାରତରୁ ଶ୍ରୀ ପଟ୍ଟନାୟକ ଭାଗ ନେଇଥିଲେ ।
ପ୍ରତିଯୋଗିତାର ବିଷୟ ଇତିହାସ, ପୁରାଣ ଓ ପରୀ କାହାଣୀ ଉପରେ ଆଧାରିତ ଥିଲା । ପୁରସ୍କାର ପାଇବା ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ‘ବିଦେଶ ମାଟିରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଓ ତାଙ୍କ କାହାଣୀକୁ ନେଇ ବାଲୁକା କଳା ପ୍ରଦର୍ଶନ କରିବା ସ୍ୱପ୍ନ ଥିଲା । ଯାହା ପୂରା ହୋଇଛି ଆଉ ସେଥିପାଇଁ ଏତେ ବଡ଼ ପୁରସ୍କାର ମିଳିଥିବାରୁ ଆହୁରି ଖୁସି ଦେଉଛି ।’ ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଶ୍ରୀ ପଟ୍ଟନାୟକଙ୍କ ପ୍ରତିଭା ତାଙ୍କୁ ବ୍ୟକ୍ତିଗତ ଭାବେ ପ୍ରତିଷ୍ଠା ଦେଇଥିବାବେଳେ ସାରା ଓଡ଼ିଶାକୁ ଗର୍ବିତ କରିଛି