ଦୁର୍ଘଟଣା ରୋକ
ଦୁର୍ଘଟଣା ରୋକିବା ନିମନ୍ତେ ସଚେତନତା ଉପରେ ଗୁରୁତ୍ବାରୋପ

ଢେଙ୍କାନାଳ, ତା. ୧୧.୦୫.୨୦୨୩ – ଆଜି ମଧ୍ୟାହ୍ନରେ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ରାଜପଥରେ ସର୍ବାଧୂକ ଦୁର୍ଘଟଣା ଜନିତ ମୃତ୍ୟୁ ହେଉଥିବାରୁ ଜିଲ୍ଲାପାଳ ଉଦବେଗ ପ୍ରକାଶ କରିଛନ୍ତି । ଜାତୀୟ ରାଜପଥ ପାର୍ଶ୍ବରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନର ସଂଲଗ୍ନ ରାସ୍ତାରେ, ଦୁର୍ଘଟଣା ପ୍ରବଣ ସ୍ଥାନରେ ସାଇନେଜ ଲଗାଇବାର ବ୍ୟବସ୍ଥା କରିବା ସହିତ ନିୟମିତ ଜଗୁଆଳର ବ୍ୟବସ୍ଥା କରିବାକୁ କହିଛନ୍ତି । ମଦ୍ୟପ ଗାଡିଚାଳକଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଦ୍ରୁତ ଗାଡିଚାଳନା ରୋକିବା, ସ୍କୁଲ ପିଲାଙ୍କ ଅଭିଭାବକଙ୍କୁ ସଚେତନ କରାଇବା, ବିଭିନ୍ନ ସଭା ସମିତି କରି ଜନସାଧାରଣ ଙ୍କୁ ସଚେତନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି । ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖ୍ ଆଗାମୀ ଦିନରେ ସମସ୍ତ ଗ୍ରାମ ପଞ୍ଚାୟତରୁ ବ୍ଲକ ପର୍ଯ୍ୟନ୍ତ ଏବଂ ବ୍ଲକ ରୁ ଜିଲ୍ଲା ସଦର ମହକୁମାକୁ ବସ ଚଳାଚଳ ହେବ ବୋଲି ସୂଚନା ପ୍ରଦାନ କରିଛନ୍ତି ।
ଜାତୀୟ ରାଜପଥରେ ଯାଞ୍ଚ ଓ ନିୟମ ଉଲଂଘନକାରୀଙ୍କ ଠାରୁ ଜୋରିମାନା ଆଦାୟ, ସ୍କୁଲ ପିଲାମାନଙ୍କ ଦ୍ବାରା ଗାଡିଚାଳନା ରୋକିବା ବ୍ୟବସ୍ଥା ସମ୍ପର୍କରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରଣୟ କୁମାର ମିଶ୍ର ବୈଠକରେ ଅବଗତ କରାଇଥିଲେ ।
ପୂର୍ତ୍ତ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ ଅଶୋକ କୁମାର ଗିରି, ଜାତୀୟ ରାଜପଥକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ନିର୍ମାଣ କାର୍ଯ୍ୟ, ସତର୍କତା ମୂଳକ ବୋର୍ଡ ଏବଂ ସାଇନେଜ ସ୍ଥାପନ ସମ୍ପର୍କରେ ଅବଗତ କରାଇଥିଲେ ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ ), ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ, ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ୱାଇଁ, କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ସାହୁ ସମେତ ଜାତୀୟ ରାଜପଥ ପ୍ରାନ୍କରଣର କର୍ମକର୍ତ୍ତା, ସଡକ ସୁରକ୍ଷା କମିଟିର ସଦସ୍ୟଗଣ, ବସ ମାଲିକ ସଂଘର କର୍ମକର୍ତ୍ତା, ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନା କରିଥିଲେ ।