୧୨ରେ 'ଲକ୍ଷ୍ମୀ ଯୋଜନା'ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ ଗମନାଗମନ ସୁବିଧା ପାଇଁ ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି।

ରାଜ୍ୟରେ ଗମନାଗମନ ସୁବିଧା ପାଇଁ ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଆସନ୍ତା ୧୨ ତାରିଖରେ ମାଲକାନଗିରିଠାରେ ଏହି ଯୋଜନାର ଶୁଭାରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ପ୍ରସ୍ତୁତି ଜୋରଦାର କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଲକାନଗିରି ଦିନିକିଆ ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ଆଜି ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ଟାଉନ୍ ହଲଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସଭାପତି ମାନସ ମାଡ଼କାମୀଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରରେ ଶ୍ରୀ ଦାସଙ୍କ ପ୍ରତିନିଧି ପ୍ରକାଶ କୁମାର ମହାନ୍ତି ଓ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗଦେଇ ଆଲୋଚନା କରିଛନ୍ତି। ଶାନ୍ତିଶୃଙ୍ଖଳାରେ କିଭଳି କାର୍ଯ୍ୟକ୍ରମ ହେବ ଓ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦେଖିବେ ସେ ନେଇ ଆଲୋଚନା କରାଯାଇଛି। ଲକ୍ଷ୍ମୀ ଯୋଜନାରେ ପଞ୍ଚାୟତରୁ ରାଜଧାନୀ ପର୍ଯ୍ୟନ୍ତ ବସ୍ ସେବା ଉପଲବ୍ଧ ହେବ।
ରାଜ୍ୟରେ ପ୍ରାୟ ଏକ ହଜାରରୁ ଅଧିକ ବସ୍ ଚଳାଚଳ କରିବାକୁ ଯୋଜନା ହୋଇଥିବା ବେଳେ ରାଜ୍ୟ ସରକାର ୩୧୭୮ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି। ଏହି ସାର୍ବଜନୀନ ପରିବହନ ବ୍ୟବସ୍ଥା ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ଆଲୋଚନା ହୋଇଛି। ଏହି ପ୍ରସ୍ତୁତି ବୈଠକରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡ଼ମା ରାବା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ତ୍ରିପାଠୀ, ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଉପସଭାପତି ନୃସିଂହ ଚରଣ ମହାନ୍ତି, ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ, ମହିଳା ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ଛାତ୍ର ସଭାପତି ତାପସ ରଞ୍ଜନ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋମାରୀ ତାଙ୍ଗୁଲ, ଉପାଧ୍ୟକ୍ଷ ପତିତପାବନ ବୈଦ, ଆଇନଜୀବୀ ସାମ୍ମୁଖ୍ୟ ସଭାପତି ଗୋପାଳକୃଷ୍ଣ ପଣ୍ଡା, ହରି ଭାଇ, ଯୁବ ସାଧାରଣ ରବି ରାଜେଶ, ପର୍ଯ୍ୟବେକ୍ଷକ ରାଧାବିନୋଦ ସାମନ୍ତରାୟ, ପ୍ରସାଦ ବିଡ଼ିକା, ବିଜିତ ସିଂ ସମେତ ୭ଟି ବ୍ଲକର ନିର୍ବାଚିତ ଜନପ୍ରତିନିଧି, ସଭାପତି ଓ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ।