ଏକାମ୍ର ପ୍ରକଳ୍ପର ହେବ ନବକଳେବର

ଶ୍ରୀଲିଙ୍ଗରାଜ ମନ୍ଦିର ସାମ୍ନାରେ ଥିବା ସମସ୍ତ ନିର୍ମାଣ ପର୍ଯ୍ୟାୟକ୍ରମେ ହଟାଇ ଦିଆଯାଉଛି

ଏକାମ୍ର ପ୍ରକଳ୍ପର ହେବ ନବକଳେବର

ଶ୍ରୀଲିଙ୍ଗରାଜ ମନ୍ଦିର ସାମ୍ନାରେ ଥିବା ସମସ୍ତ ନିର୍ମାଣ ପର୍ଯ୍ୟାୟକ୍ରମେ ହଟାଇ ଦିଆଯାଉଛି । ତିନି ବର୍ଷ ତଳେ ଏକାମ୍ର ପ୍ରକଳ୍ପ ମୁତାବକ ଲିଙ୍ଗରାଜ ପ୍ଲାଜାରେ ହୋଇଥିବା ସମସ୍ତ ସିମେଣ୍ଟ, କଂକ୍ରିଟ, ଲୁହା ନିର୍ମାଣକୁ ଭାଙ୍ଗି ଦିଆଯାଉଛି । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଏହି ସବୁ ନିର୍ମାଣକୁ ହଟାଇ ଦେବାକୁ ନିର୍ଦ୍ଦେଶ ଦେବା ପରେ ନିର୍ମାଣକାରୀ ସଂସ୍ଥା ଓବିସିସି ପକ୍ଷରୁ ପ୍ଲାଜାରେ ଥିବା ଅନେକ ନିର୍ମାଣ ଭାଙ୍ଗି ଦେଇ ସମତୁଲ କରି ଦେଲାଣି ।

ଏହି ଅଞ୍ଚଳରେ ଘାସ ଗାଲିଚା କରଯିବ । ଫୁଲ ଗଛ ଲଗାଯାଇ ସୁନ୍ଦର ପାର୍କରେ ପରିଣତ କରାଯିବ ବୋଲି ଜଣାପଡ଼ିଛି ।

ଏକାମ୍ର ପ୍ରକଳ୍ପ ମୁତାବକ ଲିଙ୍ଗରାଜ ମନ୍ଦିର ପ୍ଲାଜା ନିର୍ମାଣ ପାଇଁ ୨୦୧୯ରେ ଶ୍ରୀଲିଙ୍ଗରାଜ ମନ୍ଦିର ସାମନାରେ ଥିବା ସମସ୍ତ ନିର୍ମାଣ ଭାଙ୍ଗି ଦିଆଯାଇଥିଲା । ପୁରାତନ ଶ୍ରୀଲିଙ୍ଗରାଜ ଥାନା ସମେତ ମନ୍ଦିର ପ୍ରଶାସନ ଦପ୍ତର, ୨୦୦ ବର୍ଷ ତଳର ବଜାର, ୧୯୩୦ରେ ନିର୍ମିତ ବ୍ରାହ୍ମଣ ନିଯୋଗ ଆଦି କୋଠାକୁ ଭାଙ୍ଗି ଜମି ସମତୁଲ କରି ପ୍ରାୟ ୨ଏକର ହେବ ଜମି ସଂଗ୍ରହ କରାଯାଇଥିଲା । ୨୦୨୧ରେ ସେହି ଜମିରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରବେଶ ପାଇଁ ଯାତ୍ରୀ ସେଡ୍, ବିଶ୍ରାମାଗାର ଓ ବାକି ଅଞ୍ଚଳକୁ ପେଭର ବ୍ଲକ୍ରେ ଆଚ୍ଛାଦିତ କରାଯାଇଥିଲା । ତେବେ ପ୍ରାଚୀନ କୀର୍ତ୍ତିରାଜି ନିକଟରେ ଏହି ଖୋଳାତଡ଼ା ଓ କଂକ୍ରିଟ ନିର୍ମାଣକୁ ସେତେବେଳେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସ୍ଆଇ) ବିରୋଧ କରିଥିଲା । ମନ୍ଦିର ସାମନାରେ କୌଣସି କଂକ୍ରିଟ ବିକାଶ ହୋଇପାରିବ ନାହିଁ ବୋଲି ଜଣାଇଥିଲା । ଏହି ବିରୋଧ ସତ୍ତେ୍ୱ ଉପରୋକ୍ତ କାମ ସବୁ ସମ୍ପାଦିତ ହୋଇ ଯାତ୍ରୀଙ୍କ ବ୍ୟବହାର ଉପଯୋଗୀ କରାଯାଇଥିଲା । ବର୍ତ୍ତମାନ ଏକାମ୍ର ଯୋଜନା ପ୍ରକଳ୍ପ ପୁଣି ତ୍ୱରାନ୍ୱିତ ହୋଇଛି।

ଏଥିରେ ଭାରତୀୟ ପ୍ରତ୍ନତତ୍ତ୍ୱ ଆଇନକୁ ଅକ୍ଷରେ ଅକ୍ଷରେ ପାଳନ କରାଯାଉଛି । ଗଙ୍ଗାଜମୁନା ରାସ୍ତା ପର୍ଯ୍ୟନ୍ତ ଲମ୍ବିଥିବା ଯାତ୍ରୀ ସେଡ୍କୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି । ପର୍ଯ୍ୟାୟକ୍ରମେ ପେଭର ବ୍ଲକ୍ ଗୁଡ଼ିକ ଉଠାଇ ଦିଆଯାଉଛି । ଏକାମ୍ରେଶ୍ୱର ମନ୍ଦିର ଠାରୁ ସହସ୍ରଲିଙ୍ଗ(ଦେବୀ ପାଦହରା) ପୁଷ୍ପରିଣୀ ପର୍ଯ୍ୟନ୍ତ ପାର୍କ ନିର୍ମାଣ ପାଇଁ କାମ ପୂରା ଦମ୍ରେ ଚାଲିଛି । ପ୍ରାୟ ଅଧଏକର ହେବ ଅଞ୍ଚଳରେ ବାଲି ମାଟି ଭର୍ତ୍ତି କରି ଦିଆଗଲାଣି । ଏଠାରେ ସୁଶୋଭିତ ଘାସର ଗାଲିଚା କରାଯାଇ ବିଭିନ୍ନ ରକମର ଦେଶୀୟ ଫୁଲଗଛ ଲଗାଯିବ । ଯାହାକି ଠାକୁରଙ୍କ ବ୍ୟବହାର ଦିଗରେ ଉପଯୋଗ କରାଯାଇ ପାରିବ । ଯାତ୍ରୀଙ୍କ ବିଶ୍ରାମ ନିମନ୍ତେ ଐତିହ୍ୟ ଢାଞ୍ଚାରେ ବେଞ୍ଚ ନିର୍ମାଣ ହେବ । ପାରିପାର୍ଶ୍ବିକ ଅଞ୍ଚଳରୁ ଜଳ ନିଷ୍କାସନ ଲାଗି ସ୍ୱତନ୍ତ୍ର ଡ୍ରେନ୍ ନିର୍ମାଣ ଚାଲିଛି । ବେଶି ଉଚ୍ଚ ବଢ଼ୁଥିବା ଗଛ ଲଗାଯିବ ନାହିଁ । ମନ୍ଦିରକୁ ଶୃଙ୍ଖଳିତ ଭାବେ ଯାତ୍ରୀ ପ୍ରବେଶ ଲାଗି ଅସ୍ଥାୟୀ ବ୍ୟବସ୍ଥା ହେବ । ଫଳରେ ସାମନାରୁ ମନ୍ଦିର ଶୋଭା ଯାତ୍ରୀ, ପର୍ଯ୍ୟଟକମାନେ ଅବଲୋକନ କରିପାରିବେ ।

ଏ ସମ୍ପର୍କରେ ଓବିସିସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କହିଛନ୍ତି, ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ନିର୍ଦ୍ଦେଶମତେ ଶ୍ରୀଲିଙ୍ଗରାଜ ମନ୍ଦିର ସାମନାର ପୁନଃ ରୂପାନ୍ତର ହେଉଛି । ପୂର୍ବରୁ ନିର୍ମାଣ ହୋଇଥିବା ସମସ୍ତ ଢାଞ୍ଚାକୁ ସେଠାରୁ ହଟାଇ ଦିଆଯାଉଛି । ଏପରିକି ଦେବୀ ପାଦହରା ପୁଷ୍ପରିଣୀ ଦକ୍ଷିଣ ପାଶ୍ୱର୍ରେ ଥିବା କିଛି ବଡ଼ ଗଛକୁ ହଟାଇ ଦିଆଯିବାର ପ୍ରସ୍ତାବ ରହିଛି । ଉଚ୍ଚସ୍ତରୀୟ ବୈଠକରେ ଯାହା ନିଷ୍ପତ୍ତି ହେବ ସେହି ମୁତାବକ କାମ ଆଗକୁ ବଢ଼ିବ ।