ଝାରସୁଗୁଡ଼ା ଉପନିର୍ବାଚନ: ସୋମବାର ସନ୍ଧ୍ୟାରେ ଶେଷ ହେବ ପ୍ରଚାର
ଆସନ୍ତା ୧୦ ତାରିଖ ମତଦାନ ହେବାକୁ ଥିବା ବେଳେ ଏହାର ୩୬ ଘଣ୍ଟା ପୂର୍ବରୁ ପ୍ରଚାର କାର୍ୟ୍ୟ ସରିବ ।

ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ପ୍ରଚାର ସୋମବାର ସନ୍ଧ୍ୟାରେ ଶେଷ ହେବ । ଆସନ୍ତା ୧୦ ତାରିଖ ମତଦାନ ହେବାକୁ ଥିବା ବେଳେ ଏହାର ୩୬ ଘଣ୍ଟା ପୂର୍ବରୁ ପ୍ରଚାର କାର୍ୟ୍ୟ ସରିବ ।ପ୍ରଚାରର ଶେଷାବସ୍ଥାରେ ରବିବାର ତିନି ପ୍ରମୁଖ ଦଳର ନେତୃବର୍ଗ ତଥା ଷ୍ଟାର ପ୍ରଚାରକମାନେ ଝାରସୁଗୁଡ଼ାରେ ଜୋରଦାର ପ୍ରଚାର କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅମଲିପାଲି ଠାରେ ବିଜେଡିର ଏକ ନିର୍ବାଚନୀ ସମାବେଶରେ ଉଦବୋଧନ ଦେଇ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ଲାଗି ଭୋଟ ଭିକ୍ଷା କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଲାବିରା ବ୍ଲକରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବା ସହ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ପରେ ଅପରାହ୍ନରେ ଝାରସୁଗୁଡ଼ା ସହରରେ ଏକ ବିରାଟ ରୋଡ୍ ସୋ’ର ଆୟୋଜନ କରାଯାଇଥିଲା । ସେହିପରି କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ବିଜୟ ପଟ୍ଟନାୟକ, ବିଧାୟକ ସୁର ରାଉତରାୟ ପ୍ରମୁଖ ବିଭିନ୍ନ ଅଞ୍ଚଳରେ ବୁଲି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ଲାଗି ପ୍ରଚାର କରିଥିଲେ ।ସୋମବାର ନିର୍ବାଚନ ପ୍ରଚାରର ଶେଷ ଦିନରେ ପ୍ରମୁଖ ଦଳର ପ୍ରାର୍ଥୀମାନେ ବିଭିନ୍ନ ଅଞ୍ଚଳରେ ରାଲି କରିବାକୁ ଯୋଜନା ରଖିଥିବା ବେଳେ ରାଜନୈତିକ ବାତାବରଣ ବେଶ ସରଗରମ ରହିଛି ।