ଶିମିଳିପାଳ ଜଙ୍ଗଲରେ ଅଢେଇ ବର୍ଷର ଯମୁନା
ଶିମିଳିପାଳ ଜଙ୍ଗଲରେ ଯମୁନା

ଶିମିଳିପାଳ ଜଙ୍ଗଲରେ ଯମୁନା । ମହାରାଷ୍ଟ୍ରରୁ ଆସିଥିବା ଅଢେଇ ବର୍ଷର ବାଘୁଣୀ ଯମୁନାକୁ ଶିମିଳିପାଳର ବ୍ୟାଘ୍ର ସଂରକ୍ଷଣରେ ଛଡ଼ା ଯାଇଛି । ଏସଟିଆରର ଆସିସିଏଫ, ଡେପୁଟି ଡାଇରେକ୍ଟର ଏବଂ ପିସିସିଏଫଙ୍କ ଉପସ୍ଥିତିରେ ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଆସିଥିବା ବାଘୁଣୀକୁ ଏନକ୍ଲୋଜରରେ ମୁକ୍ତ ଭାବେ ଛଡ଼ା ଯାଇଛି । ବାରିପଦା ଜଶୀପୁର ମୁଖ୍ୟ ରାସ୍ତା ଦେଇ ବାଘୁଣୀକୁ ଶିମିଳିପାଳ ଟାଇଗର ରିଜର୍ଭକୁ ନିଆଯାଇଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦେଶକ ଡାକ୍ତର ପ୍ରକାଶ ଚାନ୍ଦ ଗୋଗିନେନୀ ଅନୁସାରେ ବାଘୁଣୀକୁ ଏନକ୍ଲୋଜରରେ ଛାଡି ତାର ଗତିବିଧି ଉପରେ ନଜର ରଖାଯିବ ।
୨୦୨୩ ବାଘ ଗଣନା ସୂଚନା ମୁତାବକ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମହାବଳ ବାଘ ସଂଖ୍ୟା ବଢିଛି । ୩୯ଟି ବାଘ ଥିବା ବେଳେ ୫୦ପ୍ରତିଶତ କଳା ବାଘ ରହିଛନ୍ତି । ତେଣୁ ଭବିଷ୍ୟତରେ ବାଘ ସଂଖ୍ୟା ବୃଦ୍ଧି ସହ ବାଘ ପ୍ରଜାତୀକୁ ନିୟନ୍ତ୍ରଣରେ କରିବା ପାଇଁ ବାହାର ରାଜ୍ୟରୁ ଦୁଇଟି ବାଘୁଣୀ ଆଣିବା ନେଇ ଯୋଜନା ହୋଇଥିଲା । ତିନିମାସ ତଳେ ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ଏନଟିସିଏକୁ ଆବେଦନ କରିଥିଲେ । ଏନ.ଟି.ସି.ଏ ପକ୍ଷରୁ ଅନୁମତି ମିଳିବା ପରେ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଥିଲେ । ଏହାପରେ ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍ ମୟୂରଭଞ୍ଜରୁ ମହାରାଷ୍ଟ୍ର ଯାଇଥିଲେ । ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ବାଘୁଣୀ ଯମୁନାକୁ ଆଣି ଶିମିଳିପାଳରେ ଛାଡ଼ିଛନ୍ତି । ମହାବଳ ବଂଶ ବୃଦ୍ଧି ହେବାର ଆଶା ରଖିଛନ୍ତି ।