ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ବ୍ୟାନ
ଅଭିନେତା ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ କୌଣସି ଫିଲ୍ମରେ ଅଭିନୟ ପାଇଁ ନିଆଯିବନି ବା ବ୍ୟାନ କରାଯିବ ବୋଲି ନିଷ୍ପତ୍ତି ନେଇଛି ସଂଘ

ଓଡ଼ିଆ ଚଳଚ୍ଚିତ୍ର 'ରାମ୍'କୁ ସମ୍ବଲପୁରରେ ବିରୋଧ ଘଟଣା । ବିରୋଧକୁ ନେଇ ପ୍ରଡ୍ୟୁସର ଆସୋସିଏସନର ସାମ୍ବାଦିକ ସମ୍ମିଳନୀ । ଅଭିନେତା ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ କୌଣସି ଫିଲ୍ମରେ ଅଭିନୟ ପାଇଁ ନିଆଯିବନି ବା ବ୍ୟାନ କରାଯିବ ବୋଲି ନିଷ୍ପତ୍ତି ନେଇଛି ସଂଘ । ବିଶେଷ କରି ମନୋଜ ମିଶ୍ରଙ୍କୁ କୌଣସି ପ୍ରଯୋଜକ ଅଭିନୟ ପାଇଁ ସୁଯୋଗ ଦେବେ ନାହିଁ । ସମ୍ବଲପୁରରେ ରାମ ଚଳଚ୍ଚିତ୍ର ନ ଚଲେଇବା ପାଇଁ ମନୋଜ ଷଡଯନ୍ତ୍ର କରିଥିବା ଅଭିଯୋଗ କରି ଏଭଳି ନିଷ୍ପତ୍ତି ନେଇଛି ସଂଘ ।
ଅଭିଯୋଗ ମୁତାବକ ଜିତୁ ମଙ୍ଗରାଜ ଏବଂ ମନୋଜ ମିଶ୍ରଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହା ତାଙ୍କର ବ୍ୟକ୍ତିଗତ ଝଗଡା ଥିଲା । ହେଲେ ଏଥିପାଇଁ ବଳିପଡୁଛନ୍ତି ପ୍ରଯୋଜକ । ବ୍ୟକ୍ତିଗତ କାରଣକୁ ନେଇ ଫିଲ୍ମକୁ ଷଡ଼ଯନ୍ତ୍ର କରି ବନ୍ଦ କରୁଛନ୍ତି ଅଭିନେତା । ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ଅଭିନେତା ଅରିନ୍ଦମ । କାରଣ ଫିଲ୍ମଟି ଗୋଟିଏ ଅଭିନେତା ପାଇଁ ଚାଲିନଥାଏ ଏହା ଗୋଟେ ଟିମକୁ ନେଇ ପ୍ରସ୍ତୁତ ହୋଇଥାଏ । ତେଣୁ ଫିଲ୍ମଟି ବ୍ୟାନ ହେଲେ ପୁରା ସିନେମା ଶିଳ୍ପ ଏଥିରେ ପ୍ରଭାବିତ ହୁଏ ବୋଲି କହିଛନ୍ତି ଅରିନ୍ଦମ । ଫଳରେ ଏ ନେଇ ମନୋଜ ମିଶ୍ରଙ୍କୁ ଫିଲ୍ମ ବ୍ୟାନ କରିଛି ସଂଘ ।
ତେବେ ବିଗ ବଜେଟରେ ରାମ୍ ଫିଲ୍ମ କରିଛନ୍ତି ଅଭିନେତା ଅରିନ୍ଦମ୍ । ଗତ ୨୦ ତାରିଖରେ ସାରା ଓଡ଼ିଶାରେ ହୋଇଥିଲା ରିଲିଜ । ସମ୍ବଲପୁରରେ ମନୋଜଙ୍କ ସମର୍ଥକ ଶୋ' ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ଏନେଇ ଅରିନ୍ଦମଙ୍କୁ ଜଣାଇଥିଲେ ଡିଷ୍ଟ୍ରିବ୍ୟୁଟର । ଏହାପରେ ଅଭିନେତା ଅରିନ୍ଦମ ପ୍ରଡ୍ୟୁସର ସଂଘକୁ ଏ ନେଇ ଅବଗତ କରାଇଥିଲେ । ଅରିନ୍ଦମଙ୍କ ଅଭିଯୋଗକୁ ନେଇ ଆଜି ବସିଥିଲା ଜରୁରୀ ବୈଠକ । ତଥ୍ୟ ପ୍ରମାଣ ମିଳିବାରୁ ମନୋଜ ମିଶ୍ରଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କଲା ସଂଘ । ଦୁଇ ବର୍ଷ ପର୍ୟ୍ୟନ୍ତ ମନୋଜ ମିଶ୍ରଙ୍କୁ କୌଣସି ପ୍ରଯୋଜକ ଫିଲ୍ମରେ ନ ନେବା ପାଇଁ ହୋଇଛି ନିଷ୍ପତ୍ତି ।