ହସିନା ବାଂଲାଦେଶ ଛାଡ଼ିବା ପୂର୍ବରୁ ପ୍ରଧାନମନ୍ତ୍ରୀ ବାସଭବନରେ କ'ଣ ସବୁ ଘଟିଥିଲା?

ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହୁଁ ନଥିଲେ ଶେଖ ହସିନା।

ହସିନା ବାଂଲାଦେଶ ଛାଡ଼ିବା ପୂର୍ବରୁ ପ୍ରଧାନମନ୍ତ୍ରୀ ବାସଭବନରେ କ'ଣ ସବୁ ଘଟିଥିଲା?

ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହୁଁ ନଥିଲେ ଶେଖ ହସିନା। ଦେଶରେ ଜାରି ରହିଥିବା ଅରାଜାକତାକୁ ସେ ଦୃଢ଼ ଭାବେ ଦମନ କରିବାକୁ ଚାହୁଁଥିଲେ। କିନ୍ତୁ ସୁରକ୍ଷା ବିଭାଗର ମୁଖ୍ୟ ଆନ୍ଦୋଳନକାରୀଙ୍କୁ ଅଟକାଇବା ସମ୍ଭବ ପର ନୁହେଁ କହିବା ପରେ ହସିନାଙ୍କ ଅକଲ ଗୁଡୁମ ହୋଇଯାଇଥିଲା। ତଥାପି ସେ ବାଂଲାଦେଶ କିମ୍ବା ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ରାଜି ନଥିଲେ।

ହେଲେ ତାଙ୍କୁ ଇସ୍ତଫା ଦେଇ ଦେଶ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା।

ଶେଷ ମୁହୂର୍ତ୍ତରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ହସିନା ବାଂଲାଦେଶ ଛାଡ଼ିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କ’ଣ ସବୁ ଘଟିଥିଲା, ତା’ର ରିପୋର୍ଟ ପ୍ରକାଶ ପାଇଛି।

ସୁରକ୍ଷା ମୁଖ୍ୟମାନଙ୍କୁ ସକାଳୁ ଭେଟିଥିଲେ ହସିନା

ରିପୋର୍ଟ ଅନୁସାରେ ଆବାମୀ ଲିଗର ମୁଖ୍ୟ ଶେଖ ହସିନା ସୋମବାର ସକାଳୁ ସୁରକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଓ ପୁଲିସ୍ ମୁଖ୍ୟଙ୍କୁ ନିଜ ବାସଭବନକୁ ଡାକିଥିଲେ। ସେମାନେ ସ୍ଥିତି ବେକାବୁ ହୋଇଥିବା ଜଣାଇବା ସହ କ୍ଷମତା ସେନା ଦେବାକୁ ମଧ୍ୟ କିଛି ଅଧିକାରୀ ପରାମର୍ଶ ଦେଇଥିଲେ। କିନ୍ତୁ ୭୬ ବର୍ଷୀୟ ୫ଥରର ପ୍ରଧାନମନ୍ତ୍ରୀ ହସିନା ନିଜ ଜିଦରେ ଅଟଳ ରହିଥିଲେ। ସେ କର୍ଫ୍ୟୁକୁ ଅଧିକ ସଶକ୍ତ କରିବାକୁ ସୁରକ୍ଷା ଅଧିକାରୀଙ୍କୁ କହିଥିଲେ।

ସୁରକ୍ଷା ପ୍ରତିଷ୍ଠାନର ମୁଖିଆମାନଙ୍କ ସହ ବୈଠକ ବେଳେ ସେମାନେ କାହିଁକି ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରି ପାରୁ ନାହାନ୍ତି ବୋଲି ହସିନା ପ୍ରଶ୍ନ କରିଥିଲେ। ବିକ୍ଷୋଭକାରୀମାନେ ଗୋଟିଏ ପୁଲିସ୍ ଗାଡ଼ି ଉପରେ ଚଢ଼ି ଉପଦ୍ରବ କରୁଥିବା ଭିଡିଓ ଦେଖାଇ ହସିନା ପ୍ରଶ୍ନ କରିଥିଲେ ଯେ ସୁରକ୍ଷାକର୍ମୀମାନେ କାହିଁକି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି।